Unknown

ବୈକୁଣ୍ଠନାଥଙ୍କ ଗୀତିମାଳା

ବୈକୁଣ୍ଠନାଥ ବ୍ରହ୍ମଚାରୀ

 

୧ - ଅଖଣ୍ଡ ଅକ୍ଷର ପ୍ରଭୁ

 

ଅଖଣ୍ଡ, ଅକ୍ଷର, ପ୍ରଭୁ

ବ୍ୟାପ୍ତ ଚରାଚର

ଅନାଦି, ଆଦି ,ଅରୂପ,

ସ୍ୱରୂପ ସୁନ୍ଦର ॥୦॥

 

ଅମର-ବନ୍ଦିତ ତୁମ

ଅମଳ ପୟରେ

ଅରପି ଭକ୍ତି-କମଳ

ନମସ୍କାର କରେ ॥୧॥

 

ବ୍ରହ୍ମାନନ୍ଦ ଜ୍ଞାନମୂର୍ତ୍ତି

ଶ୍ରେଷ୍ଠ ସୁଖଦାତା

ଗୁରୁ ରୂପେ ଅବତୀର୍ଣ୍ଣ

ହେ’ ବିଶ୍ଵବିଧାତା

ବିମଳ, ଅଚଳ, ତୁମ

ବରଦ ପୟରେ

ସ୍ନେହ-ସରସିଜ ଥାପି

ନମସ୍କାର କରେ ॥୨॥

 

ଦ୍ୱନ୍ଦ୍ୱରୁ ଅତୀତ ତୁମେ

ଏକ ପୁଣି ନିତ୍ୟ

ଭାବରୁ ଅତୀତ ପୁଣି

ଗୁଣି ବିରହିତ

ସର୍ବବ୍ୟାପୀ ସର୍ବସାକ୍ଷୀ

ତୁମ ଶ୍ରୀପୟରେ

ଅବିରତ ମତି ରହୁ

ନମସ୍କାର କରେ ॥୩॥

 

ତୁମେ ବ୍ରହ୍ମା, ତୁମେ ବିଷ୍ଣୁ

ତୁମେ ମହେଶ୍ଵର

ତୁମେ ପୁଣି ପରଂବ୍ରହ୍ମ

ସାକ୍ଷାତ ଈଶ୍ଵର

ସର୍ବ ତୀର୍ଥାଶ୍ରୟ ତୁମ

ଚାରୁଚରଣରେ

ପ୍ରେମ ଅର୍ଘ୍ୟ ଢାଳି କୋଟି

ନମସ୍କାର କରେ ॥୪॥

 

ପିତାରୂପେ ପାଳ, ମାତା

ରୂପେ କରି ଜାତ

ବିପଦରେ ହୁଅ ସଖା

ରୂପେ ଉପଗତ

ତୁମ ପାଦ ନଖ କୋଣୁ

ବିଦ୍ୟାର ଝଲକେ

ସକଳ ମୋହ-ତାମସ

ତୁଟଇ ପଲକେ

ଦିଅ ସେହି ପଦରଜ

ବୋଳି ସର୍ବାଙ୍ଗରେ

ବାରମ୍ବାର ସେହିପଦେ

ନମସ୍କାର କରେ ॥୫॥

 

ଧରମଟି ଯାହା ତହିଁ

ନାହିଁ ମୋର ରତି

ଅଧରମୁ ତିଳେ ହେଲେ

ନୋହୁଛି ବିରତି

ତୁମକୁ ଅନ୍ତରେ ଥାପି

ତୁମ ପାଦତଳେ

ସବୁ ପାପ ପୁଣ୍ୟ ମୁହିଁ

ସମରପି ବଳେ

ଅହେତୁକୀ କରୁଣାରୁ

କଣିକାଏ ପାଇଁ

ନିରବଧି ସେହି ପାଦେ

ରହିଛି ଅନାଇ ॥୬॥

 

ହୀନ ସ୍ଵଭାବରେ ମୋର

ଅନ୍ତର ମଳିନ

ସନ୍ଦେହ-ଦୋଳାରେ ଦୋଳି

ଚିତ୍ତ ଅତି ଦୀନ

ଅସହାୟ ଶିଷ୍ୟ ଜାଣି

ହେ କରୁଣାକର

ଶରଣ ସମ୍ଭାଳି ପାପ

ପଙ୍କୁ ତୋଳିଧର

ଏତିକି ମାଗୁଣି ମାତ୍ର

ତୁମ ଶ୍ରୀପୟରେ

ପରାହତ ଜୀବ ଶତ

ପ୍ରଣିପାତ କରେ । ॥୭॥

 

୨ - ଅପରୂପ ଶ୍ୟାମଳ

ଅପରୂପ ଶ୍ୟାମଳ ତନୁ ମନୋହରଂ

ଚିନ୍ନୟ ଚିଦ୍ ଘନ ରସସାରଂ

ଆନନ୍ଦମୟ ରୂପିଣୀ ପରିଚାରଂ

ଚିନ୍ତରାଧାମୋହନ ରସିକ ବରଂ ॥୧॥

କାଳନ୍ଦୀ ତଟ ବିପିନ ସୁଖକରଂ

ଚିନ୍ତାମାତ୍ରେ ଭବଭୟ ଦୁଃଖ ହରଂ

କରପଲ୍ଲବେ ଧାରଣ ଗିର ବରଂ

ଚିନ୍ତ ଶ୍ୟାମ ମୂରତି ନବ ନଟବରଂ ॥୨॥

ଅନାଦି ଆଦି କାରଣ ସର୍ବଭୂତଂ

ପରମବ୍ରହ୍ମ ପରମ ଅବ୍ୟକତଂ

ଲୋଭ ବଳିତ ଗୋପୀ ଅଧରାମୃତଂ

ଚିନ୍ତ ବନବିହାରୀ ବ୍ରଜରାଜ ସୁତଂ ॥୩॥

ଲୟକାରୀ ଅଜ୍ଞାନ ଘୋର ଅନ୍ଧାକାରଂ

ବିଷହାରୀ ବିଶ୍ଵପିତା ବିଶ୍ଵମ୍ଭରଂ

ବଇକୁଣ୍ଠ ସଦା ଶ୍ରୀ ଚରଣାଶ୍ରିତଂ

ଚିନ୍ତ ମନ ମୁଗ୍ଧ ମାଧବ ଗୋପୀନାଥଂ।୪।

 

୩ - ଅଳପ ସାଇତିବା ଶିଖଲୋ

 

(ଅପା) ଅଳପ ସାଇତିବା ଶିଖଲୋ

କେବେହେଲେ ନ ଭୋଗିବୁ ଦୁଃଖଲୋ ॥୦॥

 

ପୂରୁବ କାଳିଆ କଥା ପକା ପାସୋରିଲୋ ଅପା ପକା ପାସୋରି

ସରକାର କରୁଛନ୍ତି ସୁବିଧା ଭାରି

ସ୍ଵାଧୀନ ଦେଶେ ଜନ ନୋହିବେ ହୀନିମାନ

ଅଳପକେ ଲଭିବେ ବହୁ ସୁଖ ଲୋ ॥୧॥

 

ଯେହ୍ନେ ଟିକେ ଟିକେ ମାଟି ରଖିଣ ଉଇଲୋ ଅପା ରଖିଣ ଉଇ

କେତେଦିନେ ବଡ ହୁଙ୍କା ଗଢନ୍ତି ସେହି

ତୋ ଗାଁ ଡାକଘରେ ସାତ ଦିନରେ ଥରେ

କିଛି ଟଙ୍କା ପଇସା ସଞ୍ଚି ରଖଲୋ ॥୨॥

 

ପୁଅ ଝିଅ ବାହା ଯେବେ ଜୁଟିବ ଆସିଲୋ ଅପା ଜୁଟିବ ଆସି

ଖରଚ କରିବୁ ଆଣି ତୁ ହୋଇ ଖୁସି

ପରଦୁଆରେ ଯାଇ ଠିଆ ନ ହେବୁ ତୁହି

ଟଙ୍କା ପାଇଁ ନଥିବ ତୋ ଦକଲୋ ॥୩॥

 

୪ - ଆକଶୁ ମହନ

 

ଆକାଶୁ ମହାନ

ଜନ୍ମଭୂମି ମୋର !

ଘେନ କୋଟି ନମସ୍କାର ।

ତୋ କୋଳେ ଜମନ-

ତୋ’ ପାଦେ ଶରଣ

ମାଗେ ମାତ୍ର ବାରବାର ॥୦॥

 

ନାନା ଖେଳା କରି ମା’ଗୋ ! ତୋର ବକ୍ଷେ

ମୋ ଜୀବନଶେଷ ହୋଇ ଯାଉ ସୁଖେ

ତୋର ଜୟଗୀତି ଗାଇ ଗାଇ ମୁଖେ

ହୁଏ ମୁଁ ସେବକ ତୋର

ଘେନ କୋଟି ନମସ୍କାର । ॥୧॥

 

ତୋ କୋଳେ ଜନମି କେତେ ସୁର, ବୀର

କେତେ କେତେ କବି, କେତେ କଳାକାର

ନାମ ଗଉରବ ରଖିଗଲେ ଚିର

ମରି ହୋଇଲେ ଅମର

ଘେନ କୋଟି ନମସ୍କାର ॥୨॥

 

ଦିଅ ମା’,ସାଦରେ ଶୁଭ ସ୍ନେହାଶିଷ

ତୋ ବଳେ ବଳିଷ୍ଠ ହେଉନ୍ତୁ ତୋ ଶିଷ୍ୟ

ତୋ ସେବା ପାଇଁକି ହୋଇ ହସହସ

ହୁଅନ୍ତୁ ଜାଗତିଆର

ଘେନ କୋଟି ନମସ୍କାର ॥୩॥

 

୫ - ଆଜି ପରି ବିତିଯାଉ

 

ଆଜି ପରି ବିତିଯାଉ ମୋର ସାରା ବରଷ

ଖନ୍ଦା ରନ୍ଧା ଭୋଗ ଭୁଞ୍ଜି ରିଷ୍ଟ ହେଉ ବିନାଶ ॥୦॥

 

ନିତି ବିଭୁନାମ ସ୍ମରି ସବୁଦିନ ଯାଉ ସରି

ଶୁଭ କର୍ମ ଆଚରି ଚିତ୍ତ ହେଉ ହରଷ ॥୧॥

 

ଗୁରୁକୃଷ୍ଣଙ୍କୁ ଅନ୍ତରେ

ଧ୍ୟାନ କରି ନିରନ୍ତରେ

ଶକତି ବଢୁ ମନରେ

ଭକ୍ତି ପାଉ ପ୍ରକାଶ ॥୨॥

 

ଦମ୍ଭ, ଗର୍ବ,ଅଭିମାନ

ଘଡ଼ିକରେ ହେଉ ଲୀନ

ନାହିଁ ତହିଁ ପ୍ରୟୋଜନ

ପୋଡ଼ି ହେଉ ପାଉଁଶ ॥୩॥

 

ନୂଆବର୍ଷ ଆରମ୍ଭରେ

ପ୍ରଣମି ଛନ୍ଦାପୟରେ

ବୈକୁଣ୍ଠ କହେ କାତରେ

କ୍ଷମାକର ମୋ ଦୋଷ ॥୪।

 

୬ - ଆଜି ଶରତ ପୁନେଇ

 

ଅଜି ଶରତ ପୁନେଇ ଜହ୍ନରେ

ଦେଖି ମନ ହୁଏ ଆନ ମାନରେ

ଯମୁନା କୂଳରେ କଦମ୍ବ ମୂଳରେ

ବିଜୟ ନନ୍ଦ ନନ୍ଦନରେ, ଚାଲ କରିବା ଦର୍ଶନରେ ॥୦॥

ବୃଷଭାନୁ ସୁତା ଛନ୍ତି ସାଥିରେ

ରାସ ଉତ୍ସବେ ମଉଜେ ମାତିରେ

ସବୁ ଗୋପୀ ମିଳି ଦେଇ ହୁଳହୁଳି

ବାଇ ହୋନ୍ତି ବଂଶୀ ସ୍ଵନରେ, ସେ ତାନ ଶୁଣିବା କାନରେ ॥୧॥

ମନ ଆନନ୍ଦେ ହୋଇଣ ଲୋଭାରେ

କରୁଛନ୍ତି ଯେ ଯାହାର ସେବାରେ

ମାରି କରତାଳି ନାଚୁଛନ୍ତି ଢଳି

ତ୍ରିଭଙ୍ଗି ଛନ୍ଦରେ ପୁଣରେ, ବିଶୁଦ୍ଧ ପବିତ୍ର ପ୍ରାଣରେ ॥୨॥

ବୃନ୍ଦାବନ ପୁଣ୍ୟଭୂମି ଭାଗେରେ

ଶ୍ୟାମ ଗୁଣେ ଗାଇ ଅନୁରାଗେରେ

କୁଞ୍ଜେ ଶୁକ, ଶାରୀ ମୟୂର ମୟୂରୀ

ନୃତ୍ୟେ ହୁଅନ୍ତ ମଗନରେ, ଧନ୍ୟ ବ୍ରଜଭୂମି ଧନ୍ୟରେ॥୩॥

 

ବାଜେ ଦ୍ଵାଦଶ ବାଦ୍ୟ ସେବାଠାରେ

ନାହିଁ କିଛି ତ ତହିଁ ଅଭାବରେ

ଯୁଗଳ ମାଧୁରୀ ଲୀଳାକୁ ସୁମରି

ଯାଉ ବୈକୁଣ୍ଠ ଜୀବନରେ, ଏହାହିଁ ମୁକ୍ତି କାରଣରେ ॥୪॥

 

୭ - ଆମି ଯମୁନାରୀ କୂଲେ (ବଂଗଳା)

 

ଆମି ଯମୁନାରି କୂଲେ ଅତିନିରିବିଲେ

ଏକବ୍ରିକ୍ଷ ଏଲାମ୍ ଦେଖେ

ପରମ ଆନନ୍ଦେ ସେଇ ବ୍ରିକ୍ଷ ମାଝେ

ଦୁଟି ପାକ୍ଷୀ ବସେ ଥାକେ

(ଆଖର) ଜୀବ୍ ପରମ ନାମରାଖେ

ଦୁଟେପାକ୍ଷୀ ବସେ ଥାକେ ॥୧॥

 

ଏକପାକ୍ଷୀ ତାୟ ଅନ୍ନ ଜଲ୍ ଖାୟ

ଆନ ଉପବାସ କରେ

ସଦାଇ ସନ୍ତୋଷେ ଥାକେ ସେ ହରଷେ

ତନୁକ୍ଷୟ ନାହିଁ ତାରେ

(ଆଖର) ତନୁ କ୍ଷୟ ହଏନ ତାର

ତିନି ଅଜର ଅମର ॥୨॥

 

ସେଇ ବ୍ରିକ୍ଷ ଡାଲେ ଦୁଟି ଫଲ୍ ଫଲେ

ଦୁଃଖ ସୁଖ ନାମ ନିଏ

ଯିନି ପାକ୍ଷୀ ତାୟ ବଳତ୍କାରେ ଖାୟ

ତିନି ନରକେତେ ଯାୟ

(ଆଖର) ଆନପାକ୍ଷୀ ଡାଲେ ବସେ

ସକଲ ଦେଖେ ମୁରୁକି ହାସେ ॥୩॥

 

ସେ ପରମହଂସ ହୟେ ଯାର ବଶ

ତାର କି ଥାକେ କୋନଭୟ

ସେ ଏକଚରନେ ଦାଡ଼ାୟ ଅନୁକ୍ଷଣେ

ଦୀନ ବଇକୁଣ୍ଠ କୟ

(ଆଖର) ଏକ କରନେ ଦାଡ଼ାଏ ହଂସ

ସକଲ ଦେହେ କରେ ବାସ ॥୪॥

 

୮ - ଆମେ ଏ ଦେଶ ଭଉଣୀ ଭାଇ

 

ଆମେ ଏ ଦେଶ ଭଉଣୀ ଭାଇ

ଏଇ ଦେଶର ପାଣି ପବନେ ଗଢା ଆମର ଦେହି

ଏଇ ଦେଶର ଧରମ ପଦ

କୋଣାରକ ଯା ସ୍ମୃତି ସଂପଦ

ଦେଇଛି ତ ମା’ ଆଶୀର୍ବାଦ ଭୟ କାହାରି ନାହିଁ ॥୧॥

 

ଶାନ୍ତି ଏ ଆମ ଜନମ ମାଟି

ନ ସହେ କାର ଅତ୍ୟାଚାରଟି

ନିଶ୍ଚୟ ଏଥୁ ଯିବ ସେ ହଟି ଯେ ହେବ ଦେଶ ଦ୍ରୋହୀ॥୨॥

 

ଆମେ ଏ ଦେଶ ବୀର ଯବାନ

ପରାଣ ଦେଇ କରିଛୁ ପଣ

ଦେଶର ଶତ୍ରୁ କରି ନିଧନ ହୋଇବୁ ରଣ ଜୟୀ ॥୩॥

 

ଆମେ ଦେଶକୁ ବୀରଙ୍କ ମାତା

ହେବାର ପାଇଁ ଦେଇଛୁ କଥା

ନିତି କରିବୁ କର୍ତ୍ତବ୍ୟ ଚିନ୍ତା ସୀତା ମାତାଙ୍କ ପାଇଁ ॥୪॥

 

୯ - ଆମେ ଭାରତର ବୀର ଯବାନ

 

ଆମେ ଭାରତର ବୀର ଯବାନ

ବିନ୍ଦୁଏ ରକ୍ତ ଥିବେଯାଏ ଦେହେ

ରଖିବୁ ଯେ ଆମେ ମାଆର ମାନ୍॥୦॥

ଅସୀମ ଯେ ଆମ ବାହୁର ବଳ

ସୁଦୃଢ ଆମର ସୀମା ଅଞ୍ଚଳ

ପଣ୍ଡ କରିଦେବୁ ଅରାତି କୌଶଳ

ଯାଉ ଅବା ରହୁ ଆମର ଜାନ୍॥୧॥

ଶାନ୍ତି, ପ୍ରୀତି,ମୈତ୍ରୀ ଆମର କାମ୍ୟ

ସେଥିପାଇଁ ଆମ ଏ ଦେଶ ଧନ୍ୟ

ସେଥିଲାଗି ବଢେ ମାଆ ସମ୍ମାନ

ସେ ପାଇଁକି ଆମେ ଅଟୁ ମହାନ୍ ॥୨॥

ଶସ୍ୟ ଶ୍ୟାମଳା ଆମ ବସୁନ୍ଧରା

ଶ୍ରମିକ ଜୀବନ ଆମର ପରା

କେବେହେଲେଆମେ ନୋହୁ ଧୈର୍ଯ୍ୟହରା

ଜାଗ୍ରତ ଆମେଅଟୁ ସଚେତନ୍

ଆମେ ଭାରତର ବୀର ଯବାନ୍॥୩॥

 

୧୦ - ଆମେରେ ସରବେ

 

ଆମେରେ ସରବେ ଭାରତୀୟ

ଉଚ୍ଚନୀଚ ଭେଦ ଭୁଲିଯାଅ

ଭୁଲି ଗୋତ୍ର ଜାତି ସ୍ୱ କରମେ ମାତି

ସୁଖେ ଭାରତର ଜୟ ଗାଅ

ଆମେରେ ସରବେ ଭାରତୀୟ....॥୦॥

 

ଯେତେ ଅଛେ ଏହି ଦେଶ ସାରା

ଏକ ମାଆ ପୁଅ ଝିଅ ପରା

କିଏ ବା ଯବାନ, କିଏ ବା କିଷାନ

ତ୍ରିରଙ୍ଗା ଆମର ପରିଚୟ

ଆମେରେ ସରବେ ଭାରତୀୟ.....॥୧॥

 

ମାତୃ ସେବା ପାଇଁ ଦେବା ପ୍ରାଣ

ଅଗ୍ନି ଜାଳି କରିଅଛେ ପଣ

ଦେଖିଲେ ଅଇରି ନ ଯିବାଟି ଡରି

ଶତ୍ରୁବଂଶ କରିଦେବା କ୍ଷୟ

ଆମେରେ ସରବେ ଭାରତୀୟ..... ॥୨॥

 

ଶାନ୍ତି ଚାହୁଁ ଆମେ ସଦାବେଳେ

ଅତ୍ୟାଚାର ନ ସହିବା ତିଳେ

ଆମ ସାଥେ କାଳେ ଯେ ଲାଗିବ ବଳେ

ଗଳଥାକେ କରିଦେବା ମୋହ

ଆମେରେ ସରବେ ଭାରତୀୟ.....॥୩॥

 

୧୧ - ଆରେ କଳା କାକ

 

ଆରେ କଳାକାକ ଥରେ ମୋର ଦୁଃଖ

ଦେଖି ଉଡ଼ିଯାଆ ଦୂରେ

ମୋ କଳା କହ୍ନାଇ ମୋତେ ଛାଡ଼ି ଦେଇ

ରହିଛି ମଥୁରା ପୁରେ ରେ, କାକ ପଚାର ତାକୁ

କେଉଁ ଦିନରେ, କେଉଁ ଦିନ, କେଉଁଦିନ ଫେରିବ

ମୋ ପାଖକୁରେ ॥୦॥

 

କହିବୁ ଆହୁରି ତାକୁ ଝୁରି ଝୁରି

ସରିତ ଗଲିଣି ମୁହିଁ

ତାର ପିତା ନନ୍ଦ ତା ବିହୁନେ ଅନ୍ଧ

ହୋଇ ଭୂଇଁ ଅଣ୍ଡାଳଇରେ , କାନ୍ଦି କରଇ ହୁରି

କେଣେ ଗଲରେ, କେଣେ ଗଲ, କେଣେ ଗଲ ମୋର

ରାମ ହରିରେ ॥୧॥

 

ତାହାଲାଗି ମୋର ପୁରିଥିଲା ଘର

ଏବେ ନାରଖାର ହେଲା

ମାଆ ମାଆ ବୋଲି କେ କରିବ ଅଳି

ଆସିଗଲେ କୋଳିବାଲୀରେ, ସେହି କଥାକୁ ହେଜି

ପିଣ୍ଡୁ ପ୍ରାଣରେ, ପିଣ୍ଡୁ ପ୍ରାଣ , ପିଣ୍ଡୁ ପ୍ରାଣ

ଯାଏ ହଜିରେ ॥୨॥

 

ଗଲା ଦିନୁ କୃଷ୍ଣ ଗ୍ରାମ ହେଲା ନଷ୍ଟ

ଇଷ୍ଟ ଦଶା ସବୁଙ୍କର

ଗୋପ ଗୋସମ୍ପଦ ନରନାରୀ ବୃନ୍ଦ

ଦ୍ଵନ୍ଦ୍ଵ ସବୁ ହୃଦେ ସାରରେ, କାକ କହିବୁ ଯାଇ

ଛନ୍ଦ କଲାରେ , ଛନ୍ଦ କଲା, ଛନ୍ଦ କଲା କାହ୍ନୁ

କହିଁ ପାଇଁରେ ॥୩॥

 

ପଚାରିବୁ ଥରେ ମୋ ସ୍ନେହ ଅନ୍ତରେ

ଜାଗୁଛି କି ନାହିଁ ତାର

ମୋ ପ୍ରତି ମମତା ନ ଥିଲେ ତା ଚିନ୍ତା

କରନ୍ତି କି ବାରମ୍ବାରରେ, ବଇକୁଣ୍ଠ ବିନତି

ସେତ ଅଟେରେ , ସେତ ଅଟେ, ସେତ ଅଟେ ମୋ

ଶ୍ରେଷ୍ଠ ସମ୍ପତ୍ତିରେ ॥୪॥

 

୧୨ - ଆସ କେଶବ

 

ଆସ କେଶବ ଆସ କିରୀଟୀ ସାଜ ପୁଣି ରଣ ବେଶ

କଉରବ ଗର୍ବ କରିବାକୁ ଖର୍ବ-

ଖୋଜେ ଅଜି ଆମ ଦେଶ

ସଙ୍ଗେ ଆଣ ଧର୍ମ –ସୂତ ଭୀମସେନ

ଯା ହୁଙ୍କାରେ କମ୍ପିଥିଲା ତ୍ରିଭୁବନ

ଦେଖି ସହଦେବ ନକୁଳ ବେନିକୁ

ବଢ଼ିବ ଆମ ସାହସ ॥୧॥

 

ବଜାଅ ହେ ସେହି ଦିନର ପଞ୍ଚଜନ୍ୟ

ହୁଅନ୍ତୁ ଦୁର୍ବଳ ସର୍ବ ଶତ୍ରୁ ସୈନ୍ୟ

ଗାଣ୍ଡିବକୁ ଦାନ କରନ୍ତୁ ଅର୍ଜୁନ

ହୋନ୍ତୁ ଦେଶ ଦ୍ରୋହୀ ଧ୍ୱଂସ ॥୨॥

 

ଦାନକର ଭୀମସେନ ତବ ଗଦା

ମାରି ଅରିବଂଶ କରିଦେବୁ ପଦା

ଶତ ସିଂହ ବଳ ଦିଅ ଏ ବାହୁରେ

ରହୁ ମାତୃଭୂମି ଯଶ ॥୩॥

 

୧୩ - ଆସ ଯବାନ ଆସ କିଷାନ୍

 

ଆସ ଯବାନ

ଆସ କିଷାନ୍

ଭାରତ ମାତାର ସ୍ନେହ ସନ୍ତାନ

ନବ ବରଷେ

ଆଦରେ ହର୍ଷେ

ନତ ଶିରେ କର ମାତୃ ବନ୍ଦନ॥୦॥

 

ନବ ଛନ୍ଦା ଗାଅ ଦେଶର ଜୟ

ନୂତନ ରଂଗରେ ଚିତ୍ତ ରଂଗାଅ

ନିଅ ଆଶିଷ

ସାରା ବରଷ

କର୍ତ୍ତବ୍ୟ କରରେ ଲଗାଇ ମନ ॥୧॥

 

ଆସହେ ସରବେ ଭାରତବାସୀ

ଭାଇ ଭାଇ ମିଶି ହୋଇଣ ଖୁସି

ଶାନ୍ତି କାମନା

କର ଭାବନା

ଉଡ଼ାଅ ଆମର ଜୟ ନିଶାଣ ॥୨॥

 

ବନ୍ଦେଂ ମାତରଂ କହି ଉଚ୍ଚରେ

ଦେଶ ସେବା କରି ଯାଅ ସ୍ୱଚ୍ଛରେ

ଅହିଂସା ମନ୍ତ୍ର

ଜପି ସନ୍ତତ

ସାର୍ଥକ କରରେ ମାନବ ପ୍ରାଣ ॥୩॥

 

୧୪ - ଆସ ହିନ୍ଦୁ ମୁସଲମାନ

 

ଆସ ହିନ୍ଦୁ ମୁସଲମାନ

ଆସ ଜୈନ ଖ୍ରୀଷ୍ଟିଆନ,

ଆସ ବୁଦ୍ଧ, ଆସ ସିଦ୍ଧ

ଆସ ଭାରତ ସନ୍ତାନ॥୦॥

ଯବାନ, କିଷାନ, ଆସ

ଚାହେଁ ଆଜି ଆମ ଦେଶ

ଉନ୍ନତି ପଥରେ ଆଜି

ହୋଇବାରେ ଆଗୁଆନ ॥୧॥

ଆମ୍ଭେ କୋଟି ନାଗରିକ

ସଭିଙ୍କର ମାଆ ଏକ

ହୋଇ ସର୍ବେ ଏକଜୁଟ

ରଖିବା ଭାରତ ମାନ ॥୨॥

ଆମର ଏ ବସୁନ୍ଧରା

ଧନ ଧାନ୍ୟେ ହେବ ଭରା

କର୍ତ୍ତବ୍ୟେ ହେଳା ନ କରି

କରିବାରେ ଶ୍ରମଦାନ ॥୩॥

 

ଆନ ଦରବାରେ ଯାଇଁ

ହାତ ପତାଇବା ନାହିଁ

ଦେଖିବେ ଜନତା ଚାହିଁ

ଆମ ବାହୁ କେତେ ଟାଣ ॥୪॥

 

୧୫ - ଉଙ୍କି ମାରି ସନ୍ଧ୍ୟାତାରା

 

ଉଙ୍କି ମାରି ସନ୍ଧ୍ୟାତାରା ଦେଖା ଦେଲା ଆକାଶରେ

ଓଠ ରଙ୍ଗାଇ ରଙ୍ଗଣି ଫୁଲ ହସେ କା ଆଶରେ ॥୦॥

 

କିଏ ବା ତା ପ୍ରାଣ ପ୍ରିୟ କାହାକୁ ସେ କରି ଲୟ

ରଂଗ ବୋଳା ମୁଖେ ଚାହିଁ ବସିଛି ମନ ତୋଷରେ ॥୧॥

 

ସଂଜ ପ୍ରହରକ ପାଇଁ କେଡ଼େ ପ୍ରଭା ବିକାଶଇ

ତା ପରେ ପଡ଼ିବ ନଇଁ ମଉଳିବା ମାନସରେ॥୨॥

 

ଫୁଲ ସମ ମମ ଜୀବ ମୁହୂର୍ତ୍ତକେ ମଉଳିବ

ନାହିଁ ଏଥେ କିଛି ଲାଭ ଭାବେ ବୈକୁଣ୍ଠ ଦାସରେ ॥୩॥

 

୧୬ - ଉଠ ଭାରତ ପାଇକ

 

ଉଠ ଭାରତ ପାଇକ କର ନାହିଁ ଡେରିରେ

ଧରି ଧାର ତରବାରି ମାର ମାତୃ ଅରିରେ॥୦॥

 

ଜୟ ହିନ୍ଦ୍ ଜୟ ହିନ୍ଦ୍ ଉଚ୍ଚାରି ସାହସ ବାନ୍ଧି

ଜନ୍ମଭୂମି ପାଦେ ବନ୍ଦି ବଜା ଜୟ ଭେରିରେ ॥୧॥

 

ତୁ ଥାଉ ତୋ ମାତୃକୋଳେ ଦୁର୍ଦ୍ଦାନ୍ତ ପିଶାଚ ଖେଳେ

ଖର୍ବ କରତା ଦର୍ପ ହେଳେ ଯାଉ ଅପସରି ରେ ॥୨॥

 

ରଣ, ମରଣ, ମୁକତି ସୁମରି ଦେଖା ଶକତି

ହୋଇଣ ମାଆ ତୃପତି ନେବେ କୋଳେ ଧରିରେ ॥୩॥

ସାଜରେ ଯୁବକ ସୈନ୍ୟ ରଖରେ ମାଆର ମାନ

ଧନ୍ୟ କରି ପ୍ରାଣ ମନ ଫେର ଶତ୍ରୁ ମାରିରେ ॥୪॥

 

୧୭ - ଉଠରେ ସରବେ ଭାରତ ସନ୍ତାନ

 

ଉଠରେ ସରବେ ଭାରତ ସନ୍ତାନ ବଜାଅ ବିଜୟ ଭେରୀ

ବହୁକାଳ ତୃଷ୍ଣା ମେଣ୍ଟାଇବା ପାଇଁ ସ୍ୱାଧୀନ ଆସିଛି ଫେରି॥୧॥

 

ବୁକୁରେ ପଥର ଲଦି ବାରବାର ଶାସନ ଦ୍ୱାରରେ ଉଭା

ଭିତରକୁ ଠେଲି ଯିବା କି ନ ଯିବା କିଏ ସେ କହିବ ଅବା॥୨॥

 

ସର୍କାର ସ୍ୱହସ୍ତେ ରଖିଥିଲେ ଯତ୍ନେ ସ୍ୱରାଜ ଅଦୃଷ୍ଟ କଞ୍ଚି

ସେଥିପାଇଁ ଧନ୍ଦି ହେଉଥିଲେ ଗାନ୍ଧୀ ଭାରତ ନେତା ବିରଞ୍ଚି॥୩॥

 

ଅହିଂସାରେ ପୁଣି ହିଂସା ପ୍ରଣୋଦିତ ତରବାରି କାରବାର

ହୁଏ ଯଦି ଏହା ନ ପାଇଣ ରାହା ସତ୍ୟ ଯିବ ଦେଶାନ୍ତର॥୪॥

 

ଉଚ୍ଚ ନୀଚ ବାଦ ଘଟାଇବ ଦ୍ୱନ୍ଦ୍ୱ ପଣ୍ଡ ହେବ ମୂଳ ଲକ୍ଷ୍ୟ

ଲକ୍ଷ ଲକ୍ଷ ଲୋକ ସାଜିଣ ଭିକ୍ଷୁକ ବରଣ କଲେଣି ଦୁଃଖ॥୫॥

 

ଅଚ୍ଛବମାନଙ୍କୁ ଆଶ୍ୱାସନା କହି ଦିଅ ହିତ ଉପଦେଶ

ହୋଇ ଏକ ଜାତି ରାଜ୍ୟ ଲାଗି ମାତି ରଖି ଯାଅ ପଉରୁଷ॥୬॥

 

୧୮ - ଏଇ ଆମର ଜନମ ଭୂଇଁ

 

ଏଇ ଆମର ଜନମ ଭୂଇଁ

ଏହାର ପରେ ବାରକୁ ବାରେ

କେତେ ଯେ ଝଞ୍ଜା ଯାଇଛି ବହି ॥୦।

 

ଏଇ ଦେଶର ବିଜୟୀ କେତେ ଲଢିଣ ଶତ୍ରୁ ସହ

ସ୍ୱଦେଶ ମାନ ନିଜ ସମ୍ମାନ ରଖି ଲଭିଛି ଜୟ

ଏ ଶାନ୍ତି ଧାମେ କେତେ ହିଂସ୍ରକ ସେନା ଭବିଲେ ଲୟ

ସ୍ୱର୍ଣ୍ଣ ଅକ୍ଷରେ ଇତିହାସରେ

କେତେ ଯେ ଲେଖା ଯାଇଛି ରହି। ॥୧॥

 

ଏଇ ମାଟିର ଅର୍ଜୁନ ବୀର ଗାଣ୍ଡିବ ଯାର ଅସ୍ତ୍ର

ଏଇ ଭାରତେ ଅବତାର ସେ ଚକ୍ର ଯାହାଙ୍କ ହସ୍ତ

ଏହି କୈଳାସ ବିଜେ ମହେଶ ତ୍ରିଶୂଳ ପାଶୁପତ

ଭୀମର ଗଦା କରିଛି ପଦା

କୌରବ ଆଦି ଶତେକ ଭାଇ ॥୨॥

 

ଏଇ ମାଆର ଯବାନ ଆମେ ପଣ କରିଛୁ ପ୍ରାଣେ

ଏ ପୁଣ୍ୟ ତୀର୍ଥେ ଅତ୍ୟାଚାରୀଙ୍କୁ ରଖିବୁ ନାହିଁ ଜଣେ

ବାନ୍ଧି ସାହାସ କରିବୁ ନାଶ ଶତ୍ରୁଙ୍କୁ ପଣେ ପଣେ

ଯାଅରେ ହଟି ଏ ଦେଶ ମାଟି

ତୁମ୍ଭଙ୍କୁ କେବେ ସହିବ ନାହିଁ ॥୩॥

 

୧୯ - ଏଇ ପୁନେଇଟି

 

ଏଇ ପୁନେଇଟି ବଡ ମଉଜ - ବଉଳ ଗୋ

ଶ୍ରୀ କୃଷ୍ଣ ଭେଟକୁ ଗୋପୀଏ ସଜ ବଉଳ ଗୋ ॥୧॥

 

ନୀଳ ଗଗନରେ ନିର୍ମଳ ଜହ୍ନ

ତେହ୍ନେ କୃଷ୍ଣ ଭାଲେ ଟୋପି ଚନ୍ଦନ ବଉଳ ଗୋ ॥୨॥

 

ତମସ ଘେରା ସେ କୁଂଜର ଗୃହ

ପୂର୍ଣ୍ଣ ବ୍ରହ୍ମ ତେଜେ ରହିଛି ଲୟ ବଉଳ ଗୋ ॥୩॥

 

ତାରକା ପରାଏ ଗୋପୀ ସକଳ

ବେଢିଥିଲେ ଯେହ୍ନେ ଭ୍ରମର କୁଳ ବଉଳ ଗୋ ॥୪॥

 

ରାଧାକୃଷ୍ଣ ଏକାସନେ ବସାଇ

ପ୍ରେମେ ମଜ୍ଜିଥିଲେ ଗୋପର ଗୋଈ ବଉଳ ଗୋ ॥୫॥

 

ଜୀବ ପରମକୁ କରାଇ ମେଳ

ପ୍ରକୃତି ଗୋପୀଏ ହୁଅନ୍ତି ଭୋଳ ବଉଳ ଗୋ ॥୬॥

ପୂର୍ଣ୍ଣିମାରେ ପୂର୍ଣ୍ଣ ବ୍ରହ୍ମକୁ ଦେଖି

ସଫଳ କରିଲେ ଚର୍ମର ଆଖି ବଉଳ ଗୋ ॥୭॥

 

ସରବେ ଏକତ୍ର ହୋଇଣ ମେଳି

ବନେ ବନ୍ଦାଇଲେ ଶ୍ରୀ ବନମାଳୀ ବଉଳ ଗୋ ॥୮॥

 

ଅମା ଅନ୍ଧକାର ହୃଦୁ ହଜାଇ

ଜ୍ଞାନାଲୋକ ଲଭି ଥିଲେଟି ଗୋଈବଉଳ ଗୋ ॥୯॥

 

କର୍ଣ୍ଣ ରନ୍ଦ୍ରେ ଶୁଣି ମୋହନ ବଂଶୀ

ନୃତ୍ୟ ଗୀତେ ପ୍ରେମେ ଥିଲେ ସେ ରସି ବଉଳ ଗୋ ॥୧୦।.

 

ମନମୋହନିୟାଁ ମହିମା ଗାଇ

ମହାଧାମେ ସ୍ଥାନ ପାଇଲେ ସେହି ବଉଳ ଗୋ ॥୧୧॥

 

ସେ ଦିନର କଥା ସ୍ମରଣ ପାଇଁ

ରାସ ପୂର୍ଣ୍ଣିମା ୟା ନାମଟି ହୋଇ ବଉଳ ଗୋ ॥୧୨॥

 

ଜୀବ ପରମଙ୍କ ମିଳନ ଦିନ

ପ୍ରକୃତି ମାନଙ୍କ ମୁକ୍ତି କାରଣ ବଉଳ ଗୋ ॥୧୩॥

 

ଭକତ ଜନ ଏ କୀରତି ସ୍ମରି

ଭବ ସଂସାରରୁ ଯିବେଟି ତରି ବଉଳ ଗୋ ॥୧୪॥

 

ବଇକୁଣ୍ଠ ସେହି ଲୀଳାକୁ ଧ୍ୟାୟୀ

ବସିଛି ସେ ପାରେ ଯିବାକୁ ଡେଇଁ ବଉଳ ଗୋ ॥୧୫॥

 

୨୦ - ଏ ଦୁନିଆଁ ନାଚ ଖାନା

 

ଏ ଦୁନିଆଁ ନାଚଖାନା ଧୀରେ ଆଖିମେଲି ସଖୀ ତୁ ଅନା

ମୋ ଶଂକରୀ ଅପାଲୋ ମୋ ଚତୁରୀ ଚମ୍ପାଲୋ

ଦେଖି ନହୁଅ ମନେ ବିମନା ମୋ ଚତୁରୀ ଚମ୍ପାଲୋ ॥୧॥

 

କିଏ ଗାଏ କିଏ ବାୟେ କିଏବସି ମୁଖେ ବାହାବା କହେ

ମୋ ଶଂକରୀ ଅପାଲୋ ମୋ ଚତୁରୀ ଚମ୍ପାଲୋ

କେବା ନିରବରେ ଶୁଣୁଥାଏ ମୋ ଚତୁରୀ ଚମ୍ପାଲୋ ॥୨॥

 

ନାଟୁଆଏ ନାଚିକୁଦି ଦେଖାନ୍ତି ସେ ନିଜ ନିଜର ଖାଦି

ମୋ ଶଂକରୀ ଅପାଲୋ ମୋ ଚତୁରୀ ଚମ୍ପାଲୋ

ଶେଷେ ଯାଆନ୍ତି ଗଣ୍ଠିରି ବାନ୍ଧି ମୋ ଚତୁରୀ ଚମ୍ପାଲୋ ॥୩॥

 

କିଏ ଭଲ କିଏ ମନ୍ଦ ବାଛି କହିଦ୍ୟନ୍ତି ଦର୍ଶକ ବୃନ୍ଦ

ମୋ ଶଂକରୀ ଅପାଲୋ ମୋ ଚତୁରୀ ଚମ୍ପାଲୋ

ଏଥିପାଇଁ କେତେ ଦ୍ଵନ୍ଦ୍ୱବାଦ ମୋ ଚତୁରୀ ଚମ୍ପାଲୋ ॥୪॥

 

ଏ କଳି କାଳର କାଣ୍ଡ ଖଚୁଆ ମିଛୁଆ ଟେକନ୍ତି ମୁଣ୍ଡ

ମୋ ଶଂକରୀ ଅପାଲୋ ମୋ ଚତୁରୀ ଚମ୍ପାଲୋ

ସତ୍ୟ ସେବକ ଭୋଗନ୍ତି ଦଣ୍ଡ ମୋ ଚତୁରୀ ଚମ୍ପାଲୋ ॥୫॥

 

ଧରା ଆଢୁଆଳେ ରହି ଦେଖିଶୁଣି ସବୁ ଯାଉଥା ସହି

ମୋ ଶଂକରୀ ଅପାଲୋ ମୋ ଚତୁରୀ ଚମ୍ପାଲୋ

ବିଭୁ ସୁମରି ବୈକୁଣ୍ଠ କହି ମୋ ଚତୁରୀ ଚମ୍ପାଲୋ ॥୬॥

 

୨୧ - ଏ ନବ ବରଷେ

 

ଏ ନବ ବରଷେ ଆସନବବେଶେ

ବଶ ମୋ ମାନସେ ନବଘନ ଶ୍ୟାମ ॥୦॥

 

ସୁନ୍ଦର ହେ ତବ ସୁଷମା ଚରଣ

ସ୍ପରଶି ମୋ ଶିରେ ଶାନ୍ତି କର ଦାନ

ନବ ପ୍ରେମ ପ୍ରାଣେ ହେଉ ଜାଗରଣ

ନୂତନ ଆନନ୍ଦେ ଭାସୁଏ ଜୀବନ ॥୧॥

 

ନୂଆ ନୂଆ ଛନ୍ଦ ଦିଅ ହେ ବତାଇ

ନୂଆ ସୁରେ ତୋ ସଙ୍ଗୀତ ଗାଇ ମୁହିଁ

ନୂଆ ଅନୁଭବେ ହେଉଥିବି ବାଇ

ନୂଆ ଭାବେ ତୁମେ ବଂଧୁ ହୁଅ ମମ ॥୨॥

 

ନୂଆ ଦିନେ ଘେନ ମୋ ମାନସ ପୂଜା

ମୋ ମନ ମନ୍ଦିରେ ନୂଆ ନଟ ରାଜା

ନବରଂଗେ ଭଙ୍ଗୀ କରି ବଂଶୀ ବଜା

ସଜାଗ ହେଉ ମୋ ଏ ସୁପ୍ତ ଚେତନ ॥୩॥

 

ନୂଆ କଥା କିଛି ନାହିଁଟି ମୋ ଅଳି

ନତ କରି କହୁଛି ହେ ବନମାଳୀ

ବଇକୁଣ୍ଠ ଜୀବ ଯିବା ବେଳେ ଟଳି

ମୃଦୁହାସେ ଚାହିଁ ଦେବ ପ୍ରିୟତମ ॥୪॥

 

୨୨ - ୟେ ବାର ଠାକୁର ମାଁ (ବଂଗଳା)

 

ୟେବାର ଠାକୁର ମାଁ ମନ ଦୁଃଖତେ କରେ ଭାବନା

ଓ ଦିଦି ମାଁ ମନ୍ ଦୁଃଖତେ କରେ ଭାବନା

ଦାଦୁ ଆମାର ମାରାଗେଲ ଫିରେ ଏଲନା

ସେ ଆରଫିରେ ଏଲନା ॥୦॥

 

ଦିଦି ମାଁ ଜିଦ୍ କରେ

ବଲେ ବିଏ ହବେ ଆବାରେ

ଆମି ଖୁଜେ ଘୂରେ ମରେ ବରେ ଓ ମିଲେନା

ମନମତ୍ ବର ମିଲେନା ॥୧॥

 

ଦିଦିମାଁ ହଏନି ବୁଲୀ ବୟସ ମାତ୍ର ଚାରିଛକୁରି

ବେଶୀ ହବେନା ଆର ବେଶୀ ହବେ ନା

ଓ ତାଦେର୍ କମରବାଙ୍କା ହ୍ରିଦୟ ଫାଙ୍କା

ମିଥ୍ୟା ବଲବ ନା, ଆମି ମପିଥ୍ୟା ବଲବନା ॥୨॥

 

ଦିଦି ମାଁ କଥାର ମତେ

ସକଲ ଚଲେ ତ୍ରିଜଗତେ

ତା ନ ହେଲେ କେଉ ଥାକ୍ ବେ ନା

ତାର ମତନ୍ କନ୍ୟାରତନ୍ କୋଥାୟ ପାବେନା

ସଂସାରେ ଦେଖତେ ମିଲେନା ॥୩॥

 

ବଲେ ବଇ ବ୍ରହ୍ମଚାରୀ

ତାକେ ଚିନ୍ତେ କଠିନ୍ ଭାରି

ଆମି ଟେର୍ ପାଇନା

ଗୁରୁ ଚରନ୍ ଆଶ୍ରାକରେ ଯେନେ ନେଓନା

ଓ ଦାଦା ଯେନେ ନେଓନା ॥୪॥

 

୨୩ - ଏମନ୍ ରୀତ ଏମନ୍ ପ୍ରୀତି (ବଂଗଳା)

 

ଏମନ ରୀତି ଏମନ ପ୍ରୀତି ନାଇଁ ଦେଖ୍ ଶୁନି

ଏକ ସୂତ୍ରେ ଦ୍ଵୟ ଆତ୍ମା ହେୟେଛେ ବାନ୍ଧନୀ ॥୦॥

 

ଚନ୍ଦ୍ର କୁମୁଦ ପୀରିତି ସକଲେ ଓ ଜାନି

ଆମାବାସ୍ୟା ରାତ୍ରେ ପ୍ରସ୍ଫୁଟିତ ହୟେ ତିନି

ଏ ଦୋହାଁର ଭଲ ବାସା ନହେଁତ ଏମନି

ଏକ ବିନେ ଆର ଏକ କିଛୁଇ କରେନି ॥୧॥

 

ଏକ ଆତ୍ମା ସୁଖେ ଯଦି କରେ ପୂର୍ଣ୍ଣଗ୍ରାସ୍

ଆନ କିଛୁ ନାଖାଇଁୟା ହଏକ ସନ୍ତୋଷ୍

ଏକଇ ପ୍ରେମେ ଦୁଜନ ମନେ ବିଛେଦ ସହେନି

ଏକ ଗେଲେ ଆର ଏକ ଥାକି ତେ ଚାହେଁନି ॥୨॥

 

ସନ୍ଥଜନେ ବଲେ ଏଇ ପୀରତି କାହାନୀ

ରାଇଶ୍ୟାମ ବିନେ ହଇତେ ପାରେନି

ଜିନିଥାକେ ରାସେଶ୍ଵରୀ ସୁଭାଶିଷ ଘେନି

ତିନି ଚଲେ ଏଇ ପ୍ରେମେ ବଇକୁଣ୍ଠ ଭନି ॥୩॥

 

୨୪ - ଏ ମାଟି ଆମର

 

ଏ ମାଟି ଆମର ମାଆରେ

ଏ ମାଟି ଆମର ମାଆ....

ଏହାର ପାଇଁ ମଣିଷ ଆମେ

ଏହାର ଜୟ ଗାଆ.... ॥୦॥

 

ଏଇ ପାଣି ପବନେ ଗଢ଼ା ଆମର ପିଣ୍ଡ

ଏହାର ପଦେ ବନ୍ଦନା କର ନିତି ଛୁଆଁଇ ମୁଣ୍ଡ

ଅହିଂସା ନୀତି ପ୍ରଚାରି ନିତି ରଖ ଭାରତ ନାଆଁରେ ॥୧॥

 

ଧନ୍ୟ ଏ ଦେଶ ପୁଣ୍ୟ ପବିତ୍ର କେତେ ଯେ ତୀର୍ଥ ଶୋହେ

କେତେ ଯେ ନଦୀ ଗିରି କନ୍ଦର ସ୍ୱଚ୍ଛ ଝରଣା ବହେ

ନୀଳ ସାଗରେ ଲହରୀ ଖେଳେ ଯା ପାଦ ତଳେ ଚାହାଁରେ

ଏ ମାଟି ଆମର ମାଆ ॥୨॥

 

ଏ ମାଆ ସେବା କରି ଲଭିବା ଆମେରେ ସୁଖଶାନ୍ତି

ହୋଇ ସ୍ୱାଧୀନ କାଟିବା ଦିନ ଏଇ ତ ଆମ ମୁକ୍ତି

ତା ପାଦ ଧୂଳି ଚନ୍ଦନ ଭାଳି ମଥାରେ ମାଖୁ ଥାଆରେ

ଏ ମାଟି ଆମର ମାଆ ॥୩॥

 

୨୫ - ଓଗୋ ଦିଦି ଗୋ ! ଦିଦି ଆମାର (ବଂଗଳା)

 

ଓଗୋ ଦିଦି ଗୋ….ଦିଦି ଆମାର

ବଲ୍ ଦିଦି କି କରି ଉପାୟ…..

ଉଡେ ଗେଲେ ପ୍ରାନେର ପାକ୍ଷୀ…..

ଜାନିନା କୋଥାୟ ॥୦॥

 

ଆମି ହ୍ରିଦୟ ପିଞ୍ଜରେ ଭରେ

ରେଖେ ଛିଲାମ୍ ଯତ୍ନ କରେ

କେବା କେମନ୍ ନିଲ ଧରେ

ନା ବଲେ ଆମାୟ ॥୧॥

 

ସହରେ କେ ଏମନ୍ ଧନୀ

ପାକ୍ଷୀ କେ ରାଖିଲ ଜାନି

ଟେର୍ ଯଦି ପାଇଗୋ ଆମି ଦିଖେ ଦିବ ତାୟ ॥୨॥

 

ପାକ୍ଷୀ ଯଖନ୍ ବଲେ ରାମ

ତଖନ୍ ଆମି ପାଇ ଆରାମ୍

ଭୁଲେ ଗିୟେ ସକଲ୍ କାମ୍ ହଇତ ତନ୍ମୟ ॥୩॥

 

ବଇକୁଣ୍ଠ ବଲେନ୍ ଦିଦି

ବଲ୍ ଆମାୟ ଶ୍ରେୟ ବୁଦ୍ଧି

କୋନ୍ ସାଧନା କରେ ସିଦ୍ଧି ପାକ୍ଷୀ ଧାରା ଯାୟ ॥୪॥

 

୨୬ - ଓହେ ଦୟାମୟ ଭଗବାନ (ବଂଗଳା)

 

ଓହେ ଦୟାମୟ ଭଗବାନ୍ (ବଲ୍ ଆମାୟ)

କବେ ଦିବେ ଦବେ ଦରଶନ ॥୦॥ ଓହେ

ଏଖୁନ୍ ଆସବେ ଆନ୍ଧାର କରେ ହାହାକାର

ଆକୁଲ୍ କରିବେ ଆମାର ପ୍ରାନ୍

ତୋମାର ନାଥ ହଇବ ଅନାଥ

ଏବାର କର ଆମାୟ ପରିତ୍ରାଣ ॥୧॥ ଓହେ

ଆମିତ ଅଜ୍ଞାନ ଅବୋଧ ଅକ୍ଷମ

ତୁମି ଦୀନବନ୍ଧୁ କରୁନା ନିଧାନ

ଏ ଭବେ ତୋମାର ବିନେ

ଆର କେବା ଆଛେ ଅନ୍ୟେ

କରିତେ ଉଚିତ୍ ସମାଧାନ ।୨॥ ଓହେ

ଚରନେ ଶରନ୍ ଆମି ଯାଇ କରେ କର ତୁମି

ଭବେ ନିବ ସେ ତୋମାର୍ ଦାନ୍

ତୋମାକେ କରିୟାଁ ଲୟେ ଯେନ ଏପରାନ୍ ଯାୟେ

ବଇକୁଣ୍ଠେର ଏଇ ନିବେଦନ୍ ॥୩॥ ଓହେ

ଓହେ ଦୟାମୟ ଭଗବାନ୍ ।

 

୨୭ - ଓଁ ତତ୍ ସତ୍ ଶ୍ରୀନାରାୟଣ

 

ଓଂ ତତ୍ ସତ୍ ଶ୍ରୀନାରାୟଣ ହେ

ଜୟଗୁରୁ ଜୟ ଶ୍ରୀପୁରଷୋତ୍ତମ ହେ

ସ୍କନ୍ଦ ବିନାୟକ ସବିତା ପାବକ

ତୁ ସିଦ୍ଧ ବୁଦ୍ଧ ବ୍ରହ୍ମ ସନାତନ ହେ ॥୦.।

ତୁମେ ଇଶୁ ପିତା ୟୋହ ଶକ୍ତି ଦାତା

ରୁଦ୍ର, କୃଷ୍ଣ,ବିଷ୍ଣୁ, ରାମ ,ରହିମ ହେ

ଶ୍ରୀବାସୁଦେବାୟ ଗୋ-ବିଶ୍ଵରୂପାୟ

ଚିଦାନନ୍ଦ ସର୍ବ ଭୟ ବାରଣ ହେ ॥୧॥

ତୁମେ ଅଦ୍ଵିତୀୟ ତୁମେହିଁ ଅଭୟ

ଅଲ୍ଲା ଯୀଶୁ ତାଓ ସବୁରି ପ୍ରାଣ ହେ

ଅକାଳ ନିର୍ଭୟ ଆତ୍ମଲିଙ୍ଗମୟ

ମଙ୍ଗଳମୟ ଶିବ ସୃଷ୍ଟି କାରଣ ହେ ॥୨॥

ହେ ସତ୍ୟ ନିତ୍ୟ ପରମ ପବିତ୍ର

ବିଶ୍ଵ ଜନେ କର ଶୁଭାଶିଷ ଦାନ ହେ

ଗାଇ ତବ ଜୟ ଲଭନ୍ତୁ ଅଭୟ

ଉଚ୍ଚାରନ୍ତୁ ସର୍ବେ ପ୍ରେମମୟ ଭଗବାନ ହେ ॥୩॥

 

୨୮ - ଓଂ ତତ୍ ସତ୍ କରିଣ ସ୍ମରଣ

 

ଓଂ ତତ୍ ସତ୍ କରିଣ ସ୍ମରଣ

ପୁଷ୍ପାଞ୍ଜଳି ଦେଇ କରୁ ଜଣାଣ ॥୧॥

 

ରାମ ରହିମ୍ କରନ୍ତୁ କଲ୍ୟାଣ

ଚିଦାନନ୍ଦ ଦାନ କର ଚେତନ ॥୨॥

 

ଇଶୁ ପିତା ଦିଅ ଶୁଦ୍ଧ ଭକତି

ବ୍ରହ୍ମ ମର୍ଯ୍ୟଦ ଆହେ ୟୋହ ଶକ୍ତି ॥୩॥

ସିଦ୍ଧ ବୁଦ୍ଧ ହେ ସ୍କନ୍ଦ ବିନାୟକ

ହୃଦେ ବିରାଜ ସବିତା ପାବକ ॥୪॥

ରୁଦ୍ର ,ବିଷ୍ଣୁ, କୃଷ୍ଣ ଗୁରୁ ଆପଣ

ବାସୁଦେବ ତୁମେ ବିଶ୍ଵ ପରାଣ ॥୫॥

ତୁମେ ଅଦ୍ଵିତୀୟ ତୁମେ ନିର୍ଭୟ

ଆତ୍ମ ଲିଙ୍ଗ ଶିବ ହୁଅ ସଦୟ ॥୬॥

ଦେଖା ଆଲୋକ ବାଟ ନିରଂଜନ

ପୁଷ୍ଣାଞ୍ଜଳି ଦେଇଗଲୁ ଶରଣ ॥୭॥

 

ପିଣ୍ଡ ପ୍ରାଣ ସମର୍ପିଲୁ ତୁମକୁ

ଭବଭୟୁ ରଖ ଦୀନ ଜନଙ୍କୁ ॥୮॥

ଦେବା ପାଇଁ ନାହିଁ କିଛି ଆମର

ତୁମ ଫୁଲ ତୁମକୁ ଉପହାର-

-ଦେଇ ଶ୍ରୀପଦେ କରଛୁ ବିନତି

ତୁଟାଅ ଆମର ସବୁ ଦୁର୍ଗତି ॥୯॥

ତୁମ ବିନେ ନୋହୁଁ ଆନ କାମନା

ସରି ଯାଉ ମାନସରୁ ବାସନା ॥୧୦॥

ତୁମ ଫୁଲ ତୁମେ ଘେନ ସୁନ୍ଦର

ଦେବୁ କିବା ଆମେ ପରା ତୁମର ॥୧୧॥

 

୨୯ - କଳା କାହ୍ନୁ ପାଇଁ

 

କଳାକାହ୍ନୁ ପାଇଁ , ବେଳ ସରୁ ନାହିଁ ,ମୋ କାଳ ପୁରୁ ନାହିଁ

ଚାତକିନୀ ପରି ଦିବସ ସର୍ବରୀ

ସରେ ତା ପଥ ଚାହିଁ , ମରମେ ମରେ ମୁହିଁ ॥୦॥

 

ବ୍ରଜପୁର ତେଜି ବରଜ ମୋହନ

ମଧୁପୁରେ ଚାଲି ଯାଇଛି ମୋ ଧନ

ଆସିବାକୁ କଣ୍ଟ କରି ଚାର ଦିନ

ନ ଆସେ କାହିଁ ପାଇଁ,ଏ ଯାଏ ଫେରୁ ନାହିଁ ॥୧॥

 

କୁଞ୍ଜବନ ଦିଶୁଅଛି ଅସୁନ୍ଦର

ନବାଜିବାରୁ ତା ମୃଦୁ ବେଣୁ ସ୍ଵର

ଗୋ ବତ୍ସାଏ ଏ ନେତ୍ରୁ ଝରାନ୍ତି ଯେ ନୀର

ଚଉଦିଗକୁ ସେ ଚାହିଁ, ରଡ଼ନ୍ତି ହମ୍ଭା ଦେଇ ॥୨॥

 

ଗୋପବାଳ ବହୁ କାତର ବିକଳେ

ଡାକନ୍ତି କହ୍ନାଇ ଆସ ହୋ ଚଞ୍ଚଳେ

ଲୁଚିଛକି ଯଶୋମତୀଙ୍କ ଅଞ୍ଚଳେ

ରହସ୍ୟେ ଆମ୍ଭ ପାଇଁ, ସଅଳେ ଆସ ଧାଇଁ ॥୩॥

 

ଯେଉଁ ରାଧା ଲାଗି ଗୋପେ ଏତେ ନାଟ

ମନେ କି ପଡ଼େ ନା ଆଜି ତାର କଷ୍ଟ

କହେ ବଇକୁଣ୍ଠ ତୋ ବିହୁନେ କୃଷ୍ଣ

ଯିବି ମୁଁ ଯୋଗୀ ହୋଇ, ବୁଲିବି ସାଇ ସାଇ ॥୪॥

 

୩୦ - କଳା ଘୋଡ଼ା ଚଢ଼ି

 

କଳା ଘୋଡ଼ା ଚଢ଼ି ବାହାର କାଳିଆ ଦିଅଁ

କଳି ମ୍ଳେଛକୁ ଦଳି ଜନେ ଦିଅ ଅଭୟ॥୦॥

 

ସାଥେ ଶ୍ୱେତ ଅଶ୍ୱବାହୀ ରେବତୀ ପତି

ଭାରତ ଥାଟେ ହୁଅନ୍ତୁ ସେ ସେନାପତି

ଚକ୍ରଧର ଶ୍ରୀକର-ବିରାଜ ସୀମାନ୍ତରେ

ଦେଖି ଏ ଅଭିଯାନ–ହଟିବେ ଶତ୍ରୁ ସୈନ୍ୟ

ତୁଟିଯିବ ସେ ପାପିଙ୍କର ସାମ୍ରାଜ୍ୟ ମୋହ ॥୧॥

 

ଅଟ୍ଟହାସ୍ୟେ ହସି ନାଶି ଦେଶ ଦ୍ରୋହୀଙ୍କୁ

ଚକ୍ର ଉହାଡ଼ରେ ରଖ ଭକ୍ତ ଜନଙ୍କୁ

ଡାକନ୍ତି ଧର୍ମବୀର-ପ୍ରଭୁ ନୁହଁ ପଥର

ପାଷାଣ ଦେଉଳରୁ –ଶୂନ୍ୟ ଶବ୍ଦ ବାହାରୁ

ସର୍ବ ସାମ୍ରାଜ୍ୟେ ମୁଖେ ଘୋଷୁ ତୁମ୍ଭ ବିଜୟ ॥୨॥

 

ଯେଉଁ ଦିନ ଆମ ଦେଶୁ ହଜିବ ହିଂସା

ସେଦିନ ଜନ୍ମ ଭୂମିର ଫେରିବ ଦଶା

ଦୁଃଖ ରାତି ପାହିବ- ସୁଖ ସୂର୍ଯ୍ୟ ଉଇଁବ

ଅସତ୍ୟ ଯିବ ଧ୍ୱଂସ-ସତ୍ୟ ହେବ ପ୍ରକାଶ

ଭକ୍ତ ଦିନେ ଗାଇବେ ଜଗନ୍ନାଥଙ୍କ ଜୟ ॥୩॥

 

୩୧ - କଳି କରାଳ ମୁଖ

 

କଳି କରାଳ ମୁଖ ମେଲି ଧାଉଁଛିରେ

ସତ୍ୟ ସତ୍ତାକୁ ଗ୍ରାସୀ ଦେବ ଚାହୁଁଛିରେ

 

ମତାଇ ମିଥ୍ୟାବାଦେ ଧରମ ଠେଲି ପାଦେ

ବାଦ ବିବାଦେ ରାଜ୍ୟ ଭରି ଦେଉଛିରେ ॥୧॥

 

ବଷୟା ଫେଡି ଫେଇ ନାରୀ ନୟନେ ରହି

ଯୁବାଜନ ମାନଙ୍କ ମନ ମୋହୁଛିରେ ॥୨॥

 

ନୀତି ନିୟମ ମାନ ସାରିଦିଏ ଅଜ୍ଞାନ

ସବୁ ହୃଦୟେ ଖଳ ବୁଦ୍ଧି ହେଉଛିରେ ॥୩॥

 

ଯେ ଚଳେ ତା କଥାରେ ସେହି ବଡ଼ ସଂସାରେ

ସାର ଅସାର ବିଚାର ତ ନୋହୁଛିରେ ॥୪॥

 

ସତ୍ୟ ସେବକେ କଷ୍ଟ ଯେତେ ଦିଏ ସେ ଦୁଷ୍ଟ

ଦିନେ ନିଶ୍ଚେ ନଷ୍ଟ ହେବ ବୈକୁଣ୍ଡ କହୁଛିରେ ॥୫॥

 

୩୨ - କଳ୍ପନା ରାଇଜେ

 

କଳ୍ପନା ରାଇଜେ ମନ ନିତି ପ୍ରତି ଘୂରି ବୁଲେ

କାମନା ବତାସେ ବସି ଦୋହଲି କୋହଲି ଖେଳେ ॥୦॥

 

ତରଙ୍ଗର ଢେଉ ଉଠି ନିଏ କେବେ ଭସାଇ

ଆଶାର ନୈରାଶ୍ୟଘାତେ ଧୈର୍ଯ୍ୟ ଦିଏ ଖସାଇ

ତଥାପି ସେ ମରୀଚିକା ତୃଷ୍ଣା ଲିଭେନାହିଁ କାଳେ

ଆକାଂକ୍ଷା ପ୍ରଦୀପ ପୁଣି ଦାଉ ଦାଉ ହୋଇ ଜଳେ ॥୧॥

 

ବାସନା ସମୂହ ପୁଂଜିଭୂତ ହୋଇ ହୃଦରେ

ତ୍ରିଗୁଣ ରଜ୍ଜୁରେ ବାନ୍ଧି ଧରି ଭିଡ଼ି ଓଟାରେ

ସହି ଯାତନା ବଇକୁଣ୍ଠ ଯେ ଆକୁଳେ

ବାଞ୍ଛେପ୍ରିୟ ଦରଶନ ହୋଇବ ଭାବ ପ୍ରବଳେ ॥୨॥

 

୩୩ - କହି ଦେଲା କଥା

 

କହି ଦେଲା କଥା ତୁଣ୍ଡରୁ ଗଲେ ଗୋ

ଆଉତ ଫେରଇ ନାହିଁ

ବଉଳ ଗୋ ଆଉତ……..

ସେ ପାଇଁ କହୁଛି କହିବା ଆଗହୁଁ

ବୁଝି ସୁଝି ଥିବୁ କହି

ବଉଳା ଗୋ ବୁଝିସୁଝି ……….॥୦॥

 

ମନ ଯେଉଁ ଦିଗେ ଚହଲି ପଡ଼େ ଗୋ

ସେହି ମାର୍ଗେ ଯାଏ ଧାଇଁ

ବଉଳ ଲୋ ସେହି………..

ଜଳ ଢଳ ଢଳ ପରି ଚଞ୍ଚଳ ଗୋ

ମନଟା ଅଟଇ ସହୀ

ଜାଣିଥା ଏ ମନଟା ଅଟଇ……..॥୧॥

 

ଏ ମନକୁ ଯେହୁ ଆୟତେ ରଖେ ଗୋ

ଧନ୍ୟ ଏ ସଂସାରେ ସେହି

ବଉଳ ଗୋ ଧନ୍ୟ…….

ଯହିଁ ତହିଁ ମନ ଚଳାଇ ଦେଲେତ

ଟୋପରେ ପଡ଼ିବୁ ତୁହି

ବଉଳ ଗୋ ଟୋପରେ…….॥୨॥

 

ଅଜାଣତେ ଯେବେ ପାଣି ଇଡ଼ି ହୁଏ

ଖାଲ ପଟେ ଯାଏ ବହି

ବଉଳ ଗୋ………

ସେହିପରି ମନ ଢଳିଗଲେ ତୋର

ବସି ଝୁରୁଥିବୁ ତୁହି

ବଉଳ ଗୋ ବସି …….॥୩॥

 

କରି ଯତନକୁ ଆଗହୁଁ ମନକୁ

ବୁଝାଇ ଦିଅ ମନାଇ

ବଉଳ ଗୋ …..

ଛନ୍ଦା ପଦେ ବାନ୍ଧି ପକା ନିରବଧି

ଆନେ ନ ଯିବ ପଳାଇ

ବଉଳ ଗୋ, ହୀନ ବଇକୁଣ୍ଠ କହି ॥୪॥

 

୩୪ - କାଳିଆ ଭାଇ ବାଳିଆ

କାଳିଆ ଭାଇ ବଳିଆରେ ସୁମନା

କାଳିଆ ଭାଇ ବଳିଆ

ମଝିରେ ସୁଭଦ୍ରା ଜଗତ ମୋହିନୀ

ଭଉଣୀଟି ହଳଦିଆରେ ସୁମନା

ଭଉଣୀଟି ହଳଦିଆ ॥୦॥

ଦି ଭାଇ ଦର୍ପ ଦଳିଆରେ ସୁମନା ଦି ଭାଇ ପକା ମେଳିଆ

କାଳୀ ,ବଳି, କଂସ, କେଶୀ କନ୍ଦରାକୁ

କରିଲେ ପାଦ ତଳିଆରେ ସୁମନା ॥୧।.

ବଳିଆଟି ତୋଫା ଧଳାରେ ସୁମନା

ବସନ ତାର ନେଳିଆ…..

ଚିକ୍କଣ କାଳିଆ ସାନ ଭାଇ ଜଗା

ପିନ୍ଧେ ଲୁଗା ହଳଦିଆରେ ସୁମନା ॥୨॥

ମଝିରେ ଭଉଣୀ ଠିଆରେ ସୁମନା

ବସନ ତାର ନାଲିଆ

ଦେଖାନ୍ତି ଶିଖାନ୍ତି ଭାଇ ଭଉଣୀଙ୍କୁ

ନେଇ ଏ ସୁଖୀ ଦୁନିଆରେ ॥୩॥

ବଳିଆ ସଚ୍ଚା ହଳିଆରେ ସୁମନା କାଳିଆଟି ବାଂଶରୀଆ

ଭକତ ମେଳିଆ ମନ ଫୁଲାଣିଆ

ଦୁହେଁ ତ ବେ-ରଂଗିଆରେ ସୁମନା …….॥୪॥

ସବୁବେଳେ ଖିଆ ପିଆ ରେ ସୁମନା

ଯାନି ଯାତ୍ରା ଘୋଓ ଘାଆ

ରସରେ ରାସରେ ରଥରେ ପଥରେ

ବେଶତ ଭଳି ଭଳିଆରେ ସୁମନା….।୫॥

 

ଦୁହେଁତ ଫୁଲ ମାଳିଆରେ ସୁମନା

ଦେଖ ସେ ଭୋଗ ଥାଳିଆ…

ପ୍ରେମ ବିକଳିଆ ତୁଳସୀ ଚୂଳିଆ

ଚାହିଁଛି ବଇକୁଣ୍ଠିଆରେ ସୁମନା ….।୬॥

 

୩୫ - କାହିଁକି ନ ଶୁଣ ଆହେ

କାହିଁକି ନଶୁଣ ଆହେ ପ୍ରିୟତମ

ମରମ ବ୍ୟଥା ମୋହରି

କ୍ଷଣ ସ୍ଥାୟୀ ପ୍ରାଣ ହେଲା ଅକାରଣ

କାଳଯାକ ଅନୁସରି ॥୧॥

ବେଳକୁ ବେଳତ ହୃଦୟ ପଥର

କରୁଅଛ ମୋହ ପ୍ରତି

ଅନ୍ତର ଫିଟାଇ ଆକୁଳେ କାନ୍ଦିଲେ

ପତାଉ ନାହିଁତ ଶ୍ରୁତି॥୨॥

ସୁନ୍ଦର ତୁମ୍ଭର ରୂପଟି ନିରେଖି

ମନେ ଜାଗେ ପ୍ରେମାନନ୍ଦ

ପଦେ ଅଧେକଥା କହୁନ ହେ ପ୍ରଭୁ

ସେଥିପାଇଁ ଭାବେ ଦ୍ଵନ୍ଦ୍ଵ ॥୩॥

ମରମ ମନ୍ଦିରେ ଗୋପନରେ ରହି

ଶୁଣାଅ ଅମୀୟ ବାର୍ତ୍ତା

ପାଷାଣ୍ଡ କର୍ଣ୍ଣରେ ପ୍ରବେଶିଲେ ଥରେ

ପାଶୋରନ୍ତି ସର୍ବ ଚିନ୍ତା॥୪॥

 

ନଶୁଣିବା ଯାଏ ଜ୍ଞାନ ଭରା ସ୍ଵର

ନଭୁଲିବି ଅନ୍ୟେ ଆଉ

କହେ ବଇକୁଣ୍ଠ ଦେବ ଯେତେ କଷ୍ଟ

ସବୁ ସହି ଯିବ ଯାଉ ॥୫॥

 

୩୬ - କି କହିବି ସହି କାଳିଆ କହ୍ନାଇ

 

କି କିହିବି ସହି କାଳିଆ କହ୍ନାଇ କେଡ଼େ ଅବିଚାର କଲା

ବାଳକାଳୁ ଆପେ ପ୍ରୀତି ଗୋପେ ଏବେ ମଥୁରାକୁ ଗଲା-

ଦେଖିଲନା ! କି କୁହୁକ ଲଗାଇଲା….

ଛଇଳା କିଶୋରୀ ଚିତ୍ତ କରି ଚୋରି ଆଜି ପର କରି ଦେଲା ॥୧॥

 

ସଂଜ ବେଳେ ଖଞ୍ଜେ ବଂଶୀ ବାଇ କୁଂଜେ ରାଧା ମନ ମୋହି ନେଲା

ରସିକ ଶେଖର ଶ୍ୟାମ ନଟବର କେତେ ନାଟ ଲଗାଇଲା....

ଦେଖିଲନା ! ଖଣ୍ଟରୀତି ଆଚରିଲା....

ତା ପ୍ରେମରେ ମାତି ରସିକା ଶ୍ରୀମତୀ ଝୁରି ମରିବାକୁ ହେଲା ॥୨॥

 

ଟିକିକାଳୁ ଆମ୍ଭ ଟାଳି ଧୈର୍ଯ୍ୟ ଦମ୍ଭ ତା ଟୋପେ ପକାଇ ହେଲା

କିଣା ଚାକରାଣୀ ପରି କରି ପୁଣି ଟାଣ ନରଖିଲା-

ଦେଖିଲନା ! ଟିକେ ଦୟା ନବହିଲା…

ଟିକିଏ ନ ଚାହିଁ ଟାଉ ଟାଉ ହୋଇ କଂସ କଟକେ ଧାଇଁଲା ॥୩॥

 

ଚାରିଦିନ ପାଇଁ ଯାଇଥିଲା କହି ଚାରି ଯୁଗ ବହି ଗଲା ….

ଗୋପ ଗୋ ବାଛୁରୀ ତା ଗୁଣ ସୁମରି ବଳ ବୟସ ସରିଲା...

ଦେଖିଲନା ! ଶୋକ ସ୍ରୋତେ ଭସାଇଲା….

କରିଣ ଆଶ୍ରୟ ହେଲେ ନିରାଶ୍ରୟ ସାହସ କେ ଦେବ ଭଲା ॥୪॥

 

୩୭ - କୃଷ୍ଣ ଗୁଣକୁ ଗୁଣି ବ୍ରଜେ ବ୍ରଜ ରମଣୀ

 

କୃଷ୍ଣ ଗୁଣକୁ ଗୁଣି ବ୍ରଜେ ବ୍ରଜ ରମଣୀ

ବିଳାପ କରନ୍ତି ନେତ୍ରୁ ବୁହାଇ ପାଣି ॥୦॥

 

କେତେ କରିଲ ସ୍ନେହ ଆହେ ନନ୍ଦ ତନୟ

ଏବେ ଛାଡ଼ିଗଲେ କିସ କରିବୁ କୁହ ॥୧॥

 

କରି ଗେଲବସର ଆଜି କରିଲ ପର

ନ ଜାଣିଲୁ କିବା ଦୋଷ ହେଲା ଆମ୍ଭର ॥୨॥

 

ଲଗାଇଲ କି ଭୂତ ନେଲ ଜାତି ମହତ

ଅବଳା ବଧରେ କିଆଁ ବଳିଲା ଚିତ୍ତ ॥୩॥

 

ଏକ ଉନ୍ନବିଂଶରେ ମିଶାଇଣ ସତ୍ଵରେ

ପାନ କରି ଯିବୁ ମରି ଜାଣ ସତରେ ॥୪॥

 

ହେଉ ଯାହା ହେବାର ଦୋଷ ହେବ ତୁମ୍ଭର

କୃଷ୍ଣ ପାଇଁ ଗୋପୀ ମଲେ ହେଉ ପ୍ରଚାର ॥୫॥

 

ବୁଡ଼ି ତୁମ୍ଭରି ଭାବେ ପ୍ରାଣ ହାରିବୁ ଯେବେ

ଏହାଠୁଁ ଶ୍ରେଷ୍ଠ କି ବିଚାରନ୍ତୁ ସାଧବେ ॥୬॥

 

୩୮ - କ୍ରମେମଧୁମାସ

 

କ୍ରମେ ମଧୁମାସ ହୋଇଯାନ୍ତେ ଶେଷ ବିଷମ ଗ୍ରୀଷମ ଆସିଲା

ଯମ ତାତ ତାପ ହୋଇଲା ଅମାପ ଅନିଳ ପ୍ରଖରେ ବହିଲା

ପଥିକ….ପଥେ ଯାନ୍ତେ ହୋନ୍ତି ଅଥୟ

ନଦୀ ଦେହ କୃଶ ଦେଖି ମୀନ ବଂଶ ମନେ ପାଇଲେ ମହାଭୟ ॥୧॥

 

ପିକକୁଳ କଣ୍ଠ ହେବାରୁ କୁଣ୍ଠିତ ମଉନ ଲୟ ଆରମ୍ଭିଲେ

ବନଚର ପ୍ରାଣୀ ତୃଷିତରେ ପୁଣି ଝରଣାଭିମୁଖେ ଧାଇଁଲେ

ନବୀନା…କାମ ଭୋଗେ ହୋଇ ବିମନା

ତାପେ ହୋଇ ଦୁଃଖୀ କେତେ ଯେ ସୁମୁଖୀ ସୁନାତନୁକୁ କଲେ ଚୂନା ॥୨॥

 

ଦେହୁଁ ସ୍ଵେଦବାରି ପଡ଼ଇତ ଝରି ଯେହ୍ନେ କୁସିରୁ ତୀର୍ଥ ନୀର

ମନକୁ ରଞ୍ଜନ କଲାକବ୍ୟଜନ ମାତ୍ରକ ବରଡ଼ା ପତର

ମିତର…ସାଥେ ରହିବା ନୋହେ ଖୁସି

କାଳ ପ୍ରଭାବରେ ମୁଖରୁ ବାହାରେ ସର୍ବଦା ଉଁହୁଁ ଇଶି ଇଶି ॥୩॥

 

ଏକାଳ ଚାତୁରୀ ଚନ୍ଦନ କସ୍ତୁରୀ ଚନ୍ଦ୍ରକିରଣର ଗାରିମା

ଚାରି ମଧ୍ୟମାରେ ଚିନ୍ତା ଯେ ନକରେ ଚିହ୍ନିବ ତାହାଙ୍କ ମହିମା

ତା ପାଇଁ….ଗ୍ରୀଷ୍ମ ଗିରିସମ ନୋହିବ

କହେ ବଇକୁଣ୍ଠ ଚିତ୍ତେ ହୋଇ ହୃଷ୍ଟ କଞ୍ଜ ଚରଣକୁ ଧ୍ୟାୟିବ ॥୪॥

 

୩୯ - ଗଲେ ମୋର ଜୀବ ହେ ପରମ ସ୍ଵାମୀ

ଗଲେ ମୋର ଜୀବ ହେ ପରମ ସ୍ଵାମୀ

ଇହଧାମ ଲୀଳା ଛାଡ଼ି

ମହାନ ହେ ତୁମ୍ଭେ ମହିମାକୁ ସ୍ମରି

କେ କାନ୍ଦିବ ହରଘଡ଼ି ॥୧॥

ରଚି ସୁ କୁସୁମ ମାଳ ମନୋରମ

ହୃଷ୍ଟରେ ତୋ କଣ୍ଠେ ଦେଇ

ଆଚରି ଉନ୍ମତ୍ତ କେ କରିବ ନୃତ୍ୟ

ସ୍ନେହେ ତୋ ସ୍ଵରୂପ ଧ୍ୟାୟୀ ॥୨॥

ଉକୁଟାଇ ତାଳ ଢାଳି ଅଶ୍ରୁଜଳ

ଗାଇଣ କାବ୍ୟ ସଂଗୀତ

ଅଙ୍ଗଭଙ୍ଗୀ କରି କେହୁ ଯିବ ଗଢ଼ି

ପାଇ ତୋ ଚରଣାମୃତ ॥୩॥

ମାରିଦେଲେ ଦିଅ ଆହେ ମହାପ୍ରଭୁ

ତହିଁ ପାଇଁ ନାହିଁ ଚିନ୍ତା

ଭକତ ମାରଣା ନାମକୁ ବହିବା

ହେବକି ସୁନ୍ଦର କଥା ॥୪॥

 

ଦୀନଜନ ବନ୍ଧୁ ନାମ କୃପାସିନ୍ଧୁ

ନ କହିବେ ନରେ ଆଉ

ଏଥକୁ ବିଚାର କରି ଚକ୍ରଧର

ଯାହା ହୋଇବାର ହେଉ ॥୫॥

 

୪୦ - ଗୋପ ଆଭୀରୀ

 

ଗୋପ ଆଭୀରୀ ସଂଗେ ହୋରି

ରଂଗେ ଖେଳେ ଗିରିଧାରୀ

ରଂଗେ ଖେଳେ ଗିରିଧାରୀ ହୋ

ହୋରି ରଂଗେ ଖେଳେଗିରିଧାରୀ

ଅଗୁର ଚନ୍ଦନ ଅବିର ମିଶାଇଣ

ମାରେ ଶ୍ୟାମ ପିଚକାରୀ

ମାରେ ଶ୍ୟାମ ପିଚକାରୀ….. ହୋରି….ମାରେ ॥୧॥

 

ହସି ହସି ସର୍ବ ଗୋପୀ ଧରିଣ କୁଙ୍କୁମ ଥୋପି

ଫିଙ୍ଗନ୍ତି ହରିଙ୍କୁ ଘେରି ….ହୋ ଗୋପ ଆଭୀରୀ ॥୨॥

 

ବୁନ୍ଦାବନ ପଥ କୁଞ୍ଜକାନନ ମିତ

ଲାଲରଂଗ ପଡ଼େ ଝରି… ହୋ ଲାଲ ରଂଗ ।୩।

 

ବଂଶୀ ଖୋସି କଟିରେ ନାଚନ୍ତି ଢଳିଣ ଧୀରେ

କରେ ରାଇ କର ଧରି ହୋ ହରି …କରେ ରାଇ ॥୪॥

 

ରାଧେ ପଦ ପଙ୍କଜଶ୍ୟାମ ଚରଣ କଞ୍ଜ

ଭଜେ ବଇ ବ୍ରହ୍ମଚାରୀ.......ହୋ ହରି ॥୫॥

 

ରଂଗେ ଖେଳେ ଗିରିଧାରୀ

ଗୋପ ଆଭୀରୀ…….ଗିରିଧାରୀ

 

୪୧ - ଗୋପକୁ ସୁନ୍ଦର ଗୋପ ଗୋପାଳ ଗୋ

 

ଗୋପକୁ ସୁନ୍ଦର ଗୋପ ଗୋପାଳ ଗୋ –ଗୋଠକୁ ସୁନ୍ଦର ଗାଈ

ବଉଳ ଗୋ, ଗୋଠକୁ ସୁନ୍ଦର ଗାଈ

କୁଞ୍ଜକୁ ସୁନ୍ଦର ଝୁଲଣ ଦୋଳି ଗୋ ଶ୍ୟାମକୁ ସୁନ୍ଦର ରାଇ ॥୧॥

 

କୃଷ୍ଣଙ୍କୁ ସୁନ୍ଦର ପୀତ ବସନ ଗୋ କିଶୋରୀଙ୍କୁ ନୀଳ ଶାଢ଼ୀ

ବଉଳ ଗୋ…….

ଶ୍ରୁତିକୁ ମଧୁର ମୁରଲୀ ସ୍ଵର ଗୋ ରାଧା ରାଧା କରେ ରଡ଼ି

ବଉଳ ଗୋ ରାଧା ରାଧା ….॥୨॥

 

ଦେଉଳ ସୁନ୍ଦର କାଳିଆ ଦିଅଁଗୋ ଗଗନକୁ ଶୋଭା ଜହ୍ନ

ବଉଳ ଗୋ ଗଗନକୁ ଶୋଭା ଜହ୍ନ

ମୁହଁକୁ ସୁନ୍ଦର ମୁରୁକି ହସ ଗୋ ଲଲାଟେ ଟୋପି ଚନ୍ଦନ

ବଉଳ ଗୋ ଲଲାଟେ………॥୩॥

 

ହାଟକୁ ସୁନ୍ଦର ହାଟ ଦଣ୍ଡିଆ ଗୋ ରାଇଜ ସୁନ୍ଦର ରଜା

ବଉଳ ଗୋ ରାଇଜ ସୁନ୍ଦର ରଜା

ନାଟକୁ ସୁନ୍ଦର ରଙ୍ଗିଆ ଦୁଆରି ଆଈ କି ସୁନ୍ଦର ଅଜା

ବଉଳ ଗୋ ଆଈକି ……..॥୪॥

 

୪୨ - ଘେନ ଆଜ ପୁଷ୍ପ ଅଂଜଳି

 

ଘେନ ଆଜ ପୁଷ୍ପ ଅଂଜଳି ସିଦ୍ଧ ପୀଠ ପୁରୁଷ

ସତ୍ୟ ଶାନ୍ତି ପଥେ ଚଳିବୁ ଦିଅ ଶୁଭ ଆଶିଷ

କାମନା, ବାସନା କବଳେ ଯେହ୍ନେ ନ ହୋଇ ଭ୍ରମ

ଫଳ ଆଶା ମନେ ନରଖି ଗାଇବୁ ତୁମ୍ଭ ନାମ ॥୧॥

 

ଗୁରୁ ଇଷ୍ଟ ପଦେ ହୃଷ୍ଟରେ ନିଷ୍ଠା ରହୁ ଆମ୍ଭର

ଦୈନନ୍ଦିନ ଏହା କର୍ତ୍ତବ୍ୟ ବୋଲି କରି ବିଚାର

କରମ କରିବା ଆଗରୁ ଜଣାଇ ତବପାଦେ

ମୁଖେ ମାନ ଗାଇ କର୍ମରେ ଲାଗିଥିବୁ ଆନନ୍ଦେ ॥୨॥

 

ନେତ୍ର ପଥେ ସଦା ଦେଖାଅ ତବ ମୋହନ ମୂର୍ତ୍ତି

କର୍ଣ୍ଣଦ୍ଵାରେ ବଂଶୀ ଶୁଣାଅ ଅତି ଗୋପନେ ନିତି

ନାସା ଗ୍ରହୁ ଶ୍ୟାମ ଶ୍ରୀ ଅଙ୍ଗ ଛଡ଼ା ମାଳସୁଗନ୍ଧ

ଯା ବୋଇଲେ ମୁଖୁ ବାହାରୁ ତ୍ରାହି ତ୍ରାହି ଗୋବିନ୍ଦ ॥୩॥

 

ଶରଣ ଆଶାରେ ଶ୍ରୀପଦେ ଲୋଟି ଯାଉ ଏ ଶିର

ମିଳି ଗୁରୁ କୃଷ୍ଣ ସାଧୁଏ ଏହି ସୁଦୟା କର

ଧନ,ଜନ,ଯଶ, ଐଶ୍ଵର୍ଯ୍ୟେ ମନ ଆସକ୍ତ ନୋହୁ

ଧ୍ୟାନ ରଖି କଳାରୂପରେ ପ୍ରାଣ ପ୍ରୟାଣ ହେଉ ॥୪॥

 

ଧୂପବତୀ ପରି ପ୍ରକୃତି ପୋଡ଼ି ହେଉ ପାଉଁଶ

ତବ ପ୍ରେରଣାରୁ ଏମନ କେବେ ନୋହୁ ନିରାଶ

ଏତିକି କରୁଣା କର ହେ ପ୍ରଭୁ କରୁଣାକର

କହେ ବଇକୁଣ୍ଠ ଶ୍ରୀଗୁରୁ କଳି କାଳରୁ ତାର ॥୫॥

 

୪୩ - ଚନ୍ଦନ ପୁନେଇ ରାତି

 

ଚନ୍ଦନ ପୁନେଇ ରାତି ଗୋ ମିତଣୀ

ଦେଖି ମନ ଉଠେ ମାତି

ମୋ ହୃଦ ଦେବତା କଥା କରି ଚିନ୍ତା

ଥର ଥର ଥରେ ଛାତି

ଗୋ ମିତଣୀ…...॥୦॥

 

ପାଶେ ଥିଲେ ପ୍ରାଣ ପତି ଲୋ ମିତଣୀ

ହୁଅନ୍ତା ସରସ ମତି

ଗୋଳିଣ ଚନ୍ଦନ କରନ୍ତି ଲେପନ

ଗ୍ରୀଷମେ ପାଆନ୍ତି ଶାନ୍ତିଲୋ

ମିତଣୀ …ଗ୍ରୀଷମେ ॥୧॥

 

ଗଳେ ଦେଇ ମଲ୍ଲୀ ମାଳେ ଲୋ ମିତଣୀ

ଲୋଟନ୍ତି ଚରଣ ତଳେ

ପ୍ରେମେ ସ୍ନେହ ଭୋଳେ ନିରେଖିଣ ଡୋଳେ

ଅନ୍ତରେ କରନ୍ତି ଭକ୍ତିଲୋ ମିତଣୀ…. ॥୨॥

 

ବ୍ୟଜନ ଜାଳନ୍ତେ ବସିଗୋ ମିତଣୀ

ଡାକନ୍ତେ ସେ ହସି ହସି

କର ଧରି ମୋର ବସାନ୍ତେ ପାଶରେ

ତାଙ୍କ ସାଥେ ଯାନ୍ତି ମିଶିଲୋ ମିତଣୀ …

ମନେ ମନେ ହୋନ୍ତି ଖୁସିଲୋ …. ॥୩॥

 

୪୪ - ଜଗତେ ଆସି କରମେ ରସି

 

ଜଗତେ ଆସି କରମେ ରସି କରିଛୁ କେଉଁନାଁ

ପଛକୁ ବାରେ ଚାହାଁ ॥୦॥

 

ପୁଅ, ନାତି,ଧନ, ସମ୍ପତ୍ତିମୋହେ ହେଲୁ ବାୟା

ସମନ ଆଳେ ହିସାବ ବେଳେ ହୋଇବ ଯିଏ ସାହା…

ସେହି ରାଇଜେ ଯା… ॥୧॥

 

ତେଜି ସକଳ ହେଜ ଚଞ୍ଚଳ ପୀତ ଦୁକୂଳିଆ…

ବିଷୟ ଗର୍ବ ବରଜି ସର୍ବ ସେ ପଦ ଧରିଥା

ପାଇବୁ ଯେବେ ରାହା …॥୨॥

 

ନିର୍ଜନେ ବସି ତାନାମ ଘୋଷି ପ୍ରେମାନନ୍ଦରେ ଗା ..

ନଥିବ ଲୋଡ଼ା ହୋଇବେ ଛିଡ଼ା ହୋଇବେ ଛିଡ଼ା ତୋ ଆଗେ ଆସି ଛାଁ

ଦେଖିବୁ ମନୁଆ ॥୩॥

 

ଭବ ସାଗର କରିବେ ପାର ଶ୍ୟାମ ନାଉରୀଆ…

ବଇକୁଣ୍ଠିଆ ହୋଇ ବେଠିଆ ବସିଛି ଏକ ଠାଁ….

ଯିବାକୁ ତାର ଗାଁ ॥୪॥

 

୪୫ - ଜଗାକାଳିଆ ଜାଗ

 

ଜଗାକାଳିଆ ଜାଗ ହେଳା ନ କରି

ଭେଳା ବାହୁଚୁ ତୁମ୍ଭ ନାଆଁ ସୁମରି –ହେ ସୁମରି ॥୦॥

 

ବାହୁରେ ଆମ୍ଭର ଦିଅ ଅସୀମ ବଳ

ଦେ ହରି ଆସୀମ ବଳ

ହସି ହସି ହଟାଇବୁ ଅରାତି କୁଳ

ଯାଉ ସେ ଆର ପାରେ – କାଳି ବୋଳି ମୁହଁରେ

ଆମ ସ୍ଵାଧୀନ ଚେତ୍ତା –ଦେଖି ରଖୁ ସେ ହନ୍ତା

ନୀଳାଚଳ ମହିମା କର ଜାହିରି –ହେ ଜାହିରି ॥୧॥

 

କାଞ୍ଚି ବିଜୟ ତ ଯାଇ ନାହିଁ ପାଶୋରି

ଆଜି ସେହି କଥା ଭାବି ଭାରତ ବୀର

ସାଜିଣ ରଣ ସାଜେ –ଶତ୍ରୁ ସଂଗତେ ଯୁଝେ

ପଠାଇ ସୁଦର୍ଶନ-କର ଆଶିଷ ଦାନ

ଯୁଗେ ଯୁଗେ ଏ ପୁଣ୍ୟ ଭୂମି ଆମରି ହେ ॥୨॥

 

୪୬ - ଜନମ ଭୂଇଁ ଡାକେ

 

ଜନମ ଭୂଇଁ ଡାକେ ତୁହାଇ

ଆସ ମୋ ପୁଏ ଆସରେ

ସ୍ୱାଧୀନ ଲାଗି ହୋଇଣ ତ୍ୟାଗୀ

ରକ୍ଷା କର ତୋ ଦେଶରେ॥୦॥

 

ତ୍ୟାଗ କରିରେ ପ୍ରେମ ସଂଗୀତ

ଦେଶ ଦ୍ରୋହୀଙ୍କୁ କର ନିପାତ

କରି ଅଭ୍ୟାସ ଧରରେ ଅସ୍ତ୍ର

ସାଜି କ୍ଷତ୍ରିୟ ବେଶରେ॥୧॥

 

ତ୍ରଜି ଦିଅରେ ଆଳସ୍ୟ ସବୁ

ଏବେଳ ତାହା ଚାହେଁନା ବାବୁ

ମାଆର ମାନ ଯେବେ ରଖିବୁ

ବେଗେ କମର କଷରେ॥୨॥

 

ଯେ ଦିନ ଶତ୍ରୁ ଦେବ ହଟାଇ

ସେ ଦିନ ତୁମ୍ଭେ ହେବ ବିଜୟୀ

ଦେଶ ଜନନୀ ଯଶକୁ ଗାଇ

ହୋଇବ ହସ ହସରେ॥୩॥

 

ପରି ହରିରେ ସକଳ ଭୟ

ଅଭୟ ବଳ କର ସଂଚୟ

ସବୁ କ୍ଷେତ୍ରରେ ସତ୍ୟର ଜୟ

ଅନ୍ତରେ ଏହା ଘୋଷରେ ॥୪॥

 

୪୭ - ଜୟଗୁରୁ ଜୟଗୁରୁ ଜୟଗୁରୁ ବଲେ (ବଂଗଳା)

 

ଜୟଗୁରୁ ଜୟଗୁରୁ ବଲେ

ବଲେରେ ମନ ଦିବା ନିଶି

ଭବେର ଭୟ ଥାକ୍ ବେନାରେ

ଦୂରେ ଯାବେ ମୋହଫାଶୀ ।୦।

 

ଗୁରୁ ନାମ ନୌକା କରେ

ଚଲେ ଯାବି ଭବେର ପାରେ

ଶମନ୍ ଜାଲା ଲାଗବେନାରେ

ସୁଖେ ଥାକବି ହାଁସି ହାଁସି ।୧।

 

ଗୁରୁ ବ୍ରହ୍ମାବିଷ୍ଣୁ ହର

ଯିନି ବିଶ୍ଵେର ମୂଲାଧାର

ତିନି କ୍ରିପା କରଲେ ତୋର

ରବେନା ଆର୍ ଆନ୍ଧାର ନିଶି ।୨।

 

ଜ୍ଞାନନେତ୍ର କର୍ଣ୍ଣ ଖୁଲେ

ଏକଲା ଥେକେ ନିରିବିଲେ

ବିଷୟକାମନା ଫେଲେ

ସୁନୁରେ ବାରେ ଶ୍ୟାମେର ବାଂଶୀ ।୩।

 

ଶ୍ରୀ ଗୁରୁ ଚରନେ ଲୟ

କରିୟାଁ ଲଭ ଅଭୟ

ଦୀନ ବଇକୁଣ୍ଠ କୟ

ପାବିରେ ତୁଇ ତତ୍ତ୍ଵମସି ।୪।

 

୪୮ - ଜୟ ମଧୁସୂଦନ

 

ଜୟମଧୁସୂଦନ ଭକ୍ତମନ ମୋହନ

ଜଗତ୍ ଜୀବନ ରାଧାମନ ହାରି

ନବୀନ ଜଳଧର ନନ୍ଦିବର ସୁନ୍ଦର

ନୀଳ କମଳାକ୍ଷ ମୁରଲୀ ଧାରୀ ।୧।

 

ହାସୋଜ୍ଜ୍ୱଳ ମୁଖ ବଙ୍କିମ କଟାକ୍ଷ

ତ୍ରଭଙ୍ଗି ସୁଠାମ ଆନନ୍ଦକାରୀ

ଚୈତନ୍ୟ ଦାୟକ ଗୋକୁଳ ନାୟକ

ବିତର ହେ ବାରେ କରୁଣା ବାରି ।୨।

 

ଦୟାପ୍ରୀତି ଭକ୍ତି କୈବଲ୍ୟ ମୁକତି

ଦେଇ କର ତବ ପ୍ରେମାଧିକାରୀ

ଶ୍ରୀ ବ୍ରଜ ମଣ୍ଡଳେ ସ୍ଥାନ ଦିଅହେଳେ

ବଇକୁଣ୍ଠ ହେଉ ଦାଣ୍ଡ ଭିକାରୀ ।୩।

 

୪୯ - ଜୟ ଜଗନ୍ନାଥ ବିଶ୍ଵ ଜନତାତ

ଜୟ ଜଗନ୍ନାଥ ବିଶ୍ଵଜନତାତ

ମଉନ ହୁଅନା ଆଉ

ଆହେ ମହାବାହୁ ତୁମ୍ଭେ ଥାଉ ଥାଉ

ଗ୍ରାସେ ଦେଶେ ପାପ ରାହୁ ।୦।

ମିଥ୍ୟା ଅଭିମାନ ଦମ୍ଭ ମୋହେଚ୍ଛନ୍ନ

ହୋଇଣ ଜନ ସମାଜ

ତେଜି ସତ୍ୟତ୍ୟାଗ ସଂଯମ ବୈରାଗ୍ୟ

କଲେଣି ନାନା ଅକାର୍ଯ୍ୟ ।୧।

ନାହିଁ ନ୍ୟାୟ ନୀତି କେବଳ ଦୁର୍ନୀତି

ସର୍ବକ୍ଷେତ୍ରେ ଦେଖାଯାଏ

ଭବିଷ୍ୟତ କଥା କରି ମନେ ଚିନ୍ତା

ସନ୍ଥେ ଲୁଚିଲେଣି ଭୟେ ।୨।

ଏହିପରି ଯେବେ ବଢ଼ିଚାଲେ ତେବେ

ରାଜ୍ୟ ହେବ ଛାରଖାର

କିଏ ତବ ବିନେ ଅଛି ଆନ ଜଣେ

କୁହ କରିବ ଉଦ୍ଧାର ।୩।

 

ସବୁରି ଅନ୍ତରେ ଶୁଭ ବୁଦ୍ଧି ଥରେ

ଜାଗ୍ରତ କରାଇ ଦିଅ

ତୁମ୍ଭ ନାମ ସ୍ମରି ଶୁଭ କର୍ମ କରି

ହିଅନ୍ତୁ ଜନେ ନିର୍ଭୟ ।୪।

 

ନ ହୋଇଣ ଭ୍ରମ ସତ୍ୟ ନ୍ୟାୟ ଧର୍ମ

ମାର୍ଗରେ ଚଳାନ୍ତୁ ଦେଶ

ଭାରତ ମାତାର ହୋଇ ପରିଚାର

ଲଭନ୍ତୁ ଯଶ ପୌରୁଷ ।୫।

 

ତୁଟାଇଣ ଭେଦ ଭୁଲି ଭେଦ ବାଦ

ହୋନ୍ତୁ ଜ୍ଞାନେ ଅଧିକାରୀ

ଉନ୍ନତି ବିଧାନ କରନ୍ତୁ ସନ୍ଧାନ

ନିଃସ୍ଵାର୍ଥ ବ୍ରତ ଆଚରି ।୬।

 

ଜନତା ଠାକୁର ନହୁଅ ନିଷ୍ଠୁର

ଚକ୍ର ଦିଅ ଦରଶାଇ

ଏକରାଳ କଳି ଦର୍ପ ମହାବଳି

ମୁହୁର୍ତ୍ତେ ଯାଉ ପଳାଇ ।୭।

 

ଜଣାଏ ମଣିମା ସାରତା ଗାରିମା

ସହି ହେଉ ନାହିଁ ମୋର

ଶରଣ ରକ୍ଷଣ ନାମ ପଣଗୁଣ

କାଳେ କାଳେ ରହିଥାଉ ।୮।

 

ଜନତାଙ୍କ ପାଇଁ ପ୍ରାର୍ଥନା କରଇ

ମଉନକୁ ତେଜି ଶୁଣ

ପତିତ ତାରଣ ଆହେ ଜନାର୍ଦ୍ଦନ

ହଟା ଜନତା କଷଣ ।୯।

 

୫୦ - ଜୟ ଶ୍ରୀଗୁରୁ ସଚ୍ଚିଦାନନ୍ଦ

ଜୟ ଶ୍ରୀଗୁରୁ ସଚ୍ଚିଦାନନ୍ଦ ହରି,

ପୂର୍ଣ୍ଣ ବ୍ରହ୍ମ, ପୂର୍ଣ୍ଣ ତ୍ରିଜଗତ ଭରି ,

ପତିତ ଜନେ ଶ୍ରୀପଦ ରଜ ଦେଇ

ଗୁରୁଦେବ ଅଧମକୁ କର ତ୍ରାହି ।୧।

ବ୍ରହ୍ମା, ଇନ୍ଦ୍ର, ରୁଦ୍ର ଆଦି ଯେ ଚରଣେ

ନିତି ପ୍ରତି ଖଟିଥାନ୍ତି ଦାସ ପଣେ

ସେବା, ଅର୍ଜନା,ବନ୍ଦନାଜାଣେ ନାହିଁ

ଗୁରୁଦେବ ଅଧମକୁ କର ତ୍ରାହି ।୨।

ଯନ୍ତ୍ର-ମନ୍ତ୍ର-କ୍ରୟା ଧର୍ମ କର୍ମହୀନ,

ଚିର ପାତକୀ, ମୋ ନାହିଁ ଜ୍ଞାନ, ଧ୍ୟାନ

ଶୁଣା ଶୁଣ କରି ଡାକେ ଭାବଗ୍ରାହୀ,

ଗୁରୁଦେବ ଅଧମକୁ କର ତ୍ରାହି ।୩।

ବାଳକାଳୁ ସଦା ମାତିଥାଏ ଖେଳେ,

ମନଦଣ୍ଡେ ହେଁ ନ ରହଇ ନିରୋଳେ

ଜପ,ତପ କରିବାକୁ ବେଳ କାହିଁ ?

ଗୁରୁଦେବ ! ଅଧମକୁ କର ତ୍ରାହି ।୪।

 

ଉଡ଼ାଇଛ ପତିତ-ତାରଣ ବାନା,

ପତିତ ଜନେ ତାରିବା ପାଇଁ ସିନା,

ଆଶା କରିଛି ଉଦ୍ଧରି ଯିବା ପାଇଁ

ଗୁରୁଦେବ! ଅଧମକୁ କରତ୍ରାହି ।୫।

 

ଶ୍ରୁତି ପଥେ ଶୁଭୁ ଶ୍ୟାମ ବଂଶୀ ସ୍ଵନ,

କହି ଦିଅ ଏହି ମନ୍ତ୍ର ଗୁରୁ ବ୍ରହ୍ମ,

ସିଦ୍ଧି,ସାଧନ-ମାର୍ଗ ମୋ ଲୋଡ଼ା ନାହିଁ,

ଗୁରୁଦେବ ! ଅଧମକୁ କରତ୍ରାହି ।୬।

 

ସୁକ୍ଷ୍ମ ସୁଗମରେ ଦିଅ ଦରଶନ

ନେତ୍ରେ ଦେଖି ଜିହ୍ଵା ଭଜୁ ଅଭଜନ

ଚିତ୍ତେ ଚିନ୍ତି ପାପ ତାପ ହେଉ ଦହି

ଗୁରୁଦେବ ଅଧମକୁ କର ତ୍ରାହି ।୭।

 

କଇତବ ନ କରି ହେ ଗୁରୁଦେବ,

ଅକୈତବ କୃପା ଖଣି ଖୋଲି ଦେବ

କ୍ଷଣେ ସୁନ୍ଦର ତୁମକୁ ଦେଇ ଚାହିଁ

ଜୀବ ଯାଉ ତୁଣ୍ଡ କହି ଗୁରୁ ତ୍ରାହି ।୮।

 

୫୧ - ଜଟିଳ ଏ ସଂସାର

 

ଜଟିଳ ଏ ସଂସାର , ଅଟେ ରଂଗ ପସରା

ଜଗି ଚାଲେ ଯେହୁ,(ସେ) ଜାଲେ ନପଡ଼େ ଧରା ।୦।

 

ପଥେ ହୋଇ ହଡୁ, ଯେବେ ଖସେ ଗୋଡ଼

କେତେ ଖାଏ ମାଡ଼, ତାର ଜୀବନ ସାରା ।୧।

 

ମିଛେ ମୋର ମୋର, କହୁଥାଏ ନର

ବିଷତା ଆହାର ଭାବ, ଅମୃତ ପରା ।୨।

 

ଧନ,ଦାରା,ସୁତ,ଟଙ୍କା,ସୁନା,ବିତ୍ତ

ତେଜି ମନୁ ଚିନ୍ତା,ଭକ୍ତ ଚିତ୍ତ ଚୋରା ।୩।

 

ଦୁଃଖ ଯେତେ ପାଇ, ଦଣ୍ଡେ ଛାଡ଼େ ନାହିଁ

ଦୀନବନ୍ଧୁ ଦୀନ, ଯନ ଦିନ ସରା ।୪।

 

୫୨ - ଜାଗରାଇ ଜାଗଶ୍ୟାମ

 

ଜାଗ ରାଇ, ଜାଗଶ୍ୟାମ ରାତି ପାହିଲାଣି

ପୂରୁବ ଗଗନେ ଦିନମଣି ଉଇଁଲାଣି ।୦।

 

ପ୍ରଭାତ ମରୁତ ଧୀରେ ଧୀରେ ବହିଲାଣି,

ଜାଗି ପୋଷା ଶୁକ ରାଧେ କୃଷ୍ଣ କହିଲାଣି ।୧।

 

ସୁଗନ୍ଧଭରା ସୁମନ ଫୁଟି ବାସିଲାଣି

ଗୁଣ ଗୁଣ ସ୍ଵନେ ଅଳି ଗାଇ ବୁଲିଲାଣି ।୨।

 

ସେବା ଆଶେ ଦ୍ଵାର ଦେଶେ ସଖି ରହିଲେଣି

ବିଶାଖା ଆଣିଣ ଜଳଝରି ଥୋଇଲାଣି ।୩।

 

ଦରଶନ ପାଇଁ ଭକ୍ତ ମନ ଚାହିଁଲାଣି

ଉଠ ଉଠ ନନ୍ଦ ଚାଟ ବଇକୁଣ୍ଠ ଭଣି ।୪।

 

୫୩ - ଜାଗିଉଠ ଜାଗିଉଠ

 

ଜାଗିଉଠ ଜାଗିଉଠ ନୃମୁଣ୍ଡ ମାଳିନୀ ଜାଗିଉଠ

ଜାଗ ଦନୁଜଦଳିନୀ, ଜାଗ ସନ୍ଥ ସୁପାଳିନୀ

ଜାଗିଉଠ ହିମାଚଳ ଚୁଟ।୧।

 

ଜାଗ ରୁଦ୍ରାୟଣୀ ଚଣ୍ଡୀ ଜାଗ ରଣ ସାଜେ

ଭାରତ ସୀମାନ୍ତେ ଆଜି ତୂର୍ଯ୍ୟ ନାଦା ବାଜେ

ଜାଗ ଖର୍ପର ଧାରିଣୀ-ଆଗୋ ସିଂହ ବାହିନୀ

ଚଳା ଭାରତ ଯବାନ ଥାଟ।୨।

 

ଜାଗ ଉଗ୍ର ଭଇରବୀ ପ୍ରଳୟ ଝଙ୍କାରେ

ରଚ ପ୍ରଳୟ ତାଣ୍ଡବ ହିମ ଗିରି ପରେ

ଧ୍ୱଂସ ବିଦେଶୀ ରାକ୍ଷସ-ଦେଶ ଭାରା ହେଉ ନାଶ

ସାହା ହୁଅ ରହି ଆମ୍ଭ ପୃଷ୍ଠ।୩।

 

୫୪ - ଜାଗି ଉଠିଲେଣି ହିମାଳୟ ଚୂଳେ

ଜାଗି ଉଠିଲେଣି ହିମାଳୟ ଚୂଳେ ଧୂର୍ଜଟି ଚନ୍ଦ୍ରଶେଖର

ବଜାଇ ଡମ୍ବରୁ ଡାକ ଦ୍ୟନ୍ତି ଦୂରୁ ପଳାଅ ପାପି ପାମର

ଦୁଷ୍ଟ ଖଣ୍ଟ ପଣେ ଅଟ ତୁମ୍ଭେ ଶ୍ରେଷ୍ଠରେ ଦୁଷ୍ଟ,

କିଆଁ ଅକାରଣେ ହେବ ନଷ୍ଟରେ ଦୁଷ୍ଟ ॥୧॥

ଭାଙ୍ଗି ଶିବ ତପ ଆରେ କଉଣପ ଅରଜିଲ ଅକୀରତି

ରଚିଲେ ତାଣ୍ଡବ ହେବ ଲଣ୍ଡଭଣ୍ଡ ନବୁଝିଲ ଆତ୍ମ ଘାତି

ଦସ୍ୟୁ ! ପଳା ପ୍ରଳୟ ହଂକାର ପାଶୁ

ଦାଢେ ନ ଛାଡ଼ିବୁ ଆମ୍ଭ ଦେଶରେ ଦସ୍ୟୁ ॥୨॥

ପଳା ପଳା ଚୋର ପଲାକୁ ଏଥର ପ୍ରାଣେ ଯେବେ ଅଛି ଆଶ

ରୁଦ୍ର କାଳାନଳ ଜଳିଲେ ପ୍ରବଳ ପୋଡ଼ି ହୋଇଯିବ ଭସ୍ମରେ

ଭଣ୍ଡ ! ସବୁ କଉଶଳ ହେବ ପଣ୍ଡରେ ଭଣ୍ଡ

ଅଯଥାରେ ଭୋଗିବ ଦଣ୍ଡରେ ଭଣ୍ଡ ॥୩॥

ଛାଡ଼ ଦୁଃସାହସ, ରେ ଦୁଷ୍ଟ ରାକ୍ଷସ ଶାନ୍ତ ଆମ ମାତୃଭୂମି

ନସହେ କାହାର ହିଂସା ଅତ୍ୟାଚାର ନ ହେଜି ଯା ଗଲ- ଭ୍ରମିରେ

କଣା! ହୀନ ପଣେ ହେଲ ବାଟବଣାରେ କଣା

ଦେଶ ଦ୍ରୋହୀରେ ହୋଇଲ ଗଣାରେ କଣା ॥୪॥

 

୫୫ - ଯେତେ ଯବାନ ଅଛ

ଯେତେ ଯବାନ ଅଛ ଏଦେଶରେ

ଆଗୁଆନ ହୁଅ ବୀର ବେଶରେ

ସାଜିଣ ଫଉଜ ସମ୍ଭାଳ ରାଇଜ

ଛାଡ଼ି ମଉଜ ବିଳାସରେ ॥୦॥

ଦେଖା ଶକତି ଏତିକି ବେଳରେ

ଭକ୍ତି କରି ମା’ ଚରଣ ତଳରେ

ନ କରି ବିଳମ୍ବ ଛାତି କର ଦମ୍ଭ

ଚଳ ହିମାଚଳ ପାଶରେ ॥୧॥

ଦେଶେ କହିଯାଅ ସବୁ ଭାଇଙ୍କି

ବାସେ ବସି ନ ରହନ୍ତୁ କେହିକି

ବେପାର ବଣିଜ କରି ଚାଷ କାର୍ଯ୍ୟ

ଯୋଗାନ୍ତୁ ତୁମ୍ଭଙ୍କୁ ଗ୍ରାସରେ ॥୨॥

ମାଆ ଭଉଣୀଙ୍କୁ ଦିଅ ମନାଇ

ସାହା ହୋନ୍ତୁ ହାତକାମ ବନାଇ

ହୋଇ ବୀର ମାତା ରଖିଯାନ୍ତୁ କଥା

ତେଜି ମଜ୍ଜା ବୃଥା ହସରେ ॥୩॥

 

୫୬ - ଡହଳ ବିକଳେ ପଡ଼ି ଡକାଛାଡ଼େ ଦାଣ୍ଡେ

 

ଡହଳ ବିକଳେ ପଡି ଡକାଛାଡ଼େ ଦାଣ୍ଡେ ମୁଣ୍ଡ କଚାଡ଼ି ହେ ଡିମା ଆଖି…

ଡାକ ନଶୁଣ କାନେ କାହିଁକି ହେ ।୧।

 

ଢୁଳାଇ ବସୁ କିଁପାଇଁ ଢୋକି ବି ଗରଳ ଢୋଲ ବଜାଇ ହେ ଢକା ବଜା ….

ଢମପଣ ଛାଡ଼ି ଯିବ ମଜା ହେ ।୨।

 

ଅଣ ଆୟତ୍ତ ହୋଇଲେ ଅନୁଗତ ଜନେ ଆଶ୍ରା ନୋହିଲେ ହେ, ଆର୍ତ୍ତତ୍ରାଣ …

ଅକାରଣେ କେ ଡାକିବ ପୁଣ ହେ ।୩।

 

ତତ୍ତ୍ଵମନେ ତୋତେ ଧ୍ୟାୟି ତାପିତ ପରାଣେ ବ୍ୟଥାଲାଗଇ ହେ, ତାପହାରି…

ତ୍ରିତାପରେ ତିନ୍ତି ଗଲି ସରିହେ୪।

 

ଥୟ ନାହିଁ ଚିତ୍ତ ମୋର ଥରାଇ ଦେଉଛି ସର୍ବ ଶରୀର ହେ, ଥନ ଚଖା…

ଥରେ ଥିର ହେବା ପଥ ଦେଖା ହେ ।୫।

 

ଦମ ଦମ ପଡ଼େ ଛାତି ଦକ ଦକ କେତେ ହୋଇବି ନିତି ହେ, ଦାମା ମିତ୍ର…

ଦମ୍ଭ ଧରିବା ମୋ ଅସକତ ହେ ।୬।

 

ଧାରଣା ଧିଆନେ ଧରି ଧ୍ୟାୟି ଅଛି ଧୀରେ ଦିବା ଶର୍ବରୀ ହେ , ଧୃତି ହାରି…

ଧନ୍ଦା ଧ୍ଵଂସିବା କହ ବିଚାରି ହେ ।୭।

 

ନବୀନ ନଟ ମୂରତି ନିତି ନିତି ତୋର ନୂଆ ପୀରତି ହେ, ନୀଳ ହାତୀ ,…

ନ ଅନାଇଁ ନେବୁ ଅକୀରତି ହେ ।୮।

 

ପରାଣ ବ୍ୟଥା ନ ସବୁ ପତିତ ଡାକିଲେ ପଛେ ଗୋଡାଇ ହେ, ପ୍ରାଣ ଖିଆ ..

ପରମାଦେ ପଛେ ନୁହ ଠିଆ ହେ ।୯।

 

ଫାଳ ପତା ବୁଦ୍ଧି ଛାଡ଼ ଫାଙ୍କିବାରୁ ଗୋପୀ ମାଇଲେ ମାଡ଼ହେ ,ଫୁଲ ରଙ୍କା ..

ଫୁଲ ପଣ ଛାଡ଼ିଯିବ ଏକାହେ ।୧୦।

 

ବେଳତ ଯାଉଛି ସରି ବିଳମ୍ବ ହେଉଛି ବୁଝ ଗୁହାରି ହେ , ବଂଶୀ ବଜା…

ବସି ନ ଦେଖ ଆଉ ମୋ ସଜା ହେ ।୧୧।

 

ଭାବେ ଭକତଙ୍କ ଧନ ଭାବ ଭୋଳେ ବ୍ରଜେ ହେଲେ ଜନମ ହେ, ଭବା ଧୀଶ…

ଭାସିଯିବ କି ? ବୈକୁଣ୍ଠ ଦାସ ହେ ୧୨।

 

୫୭ - ଦୁଇ ପରବତ ଲାଞ୍ଜି

 

ଦୁଇ ପରବତ ଲାଞ୍ଜି…… ମୋ କଳା ସାରିକି କେ ନେଲା ବାନ୍ଧି ମୋ

ରଂଗ ବଧୁଲୀଲୋ ମୋ ରଂକର ଝୁଲି ଲୋ

(ମୁଁ ତ) ଥକିଲିଣି କାନ୍ଦି କାନ୍ଦି ମୋ ରଂଗ ବଧୁଲୀ ଲୋ ।୧।

 

ଦେଉଳ ଉପରେ ବାନା-ହୁଡ଼ି ତୁଟି କିଏ କହିଲା କିନା ମୋ ରଂଗ ବଧୁଲୀ

(ସତେ) ରୁଷିଲା କି କଳାସୁନା ମୋ ରଂକର ଝୁଲି ଲୋ ।୨।

 

ଡେଇଁ ଡେଇଁ ଯାଏ ବଗ- ମନେ ପଡ଼ିଯାଏ ଯେତେ ତା ରଂଗ ମୋ ରଂଗ ବଧୁଲୀ

(ତାର) ଚହଟ ଚିକ୍କଣ ଢଙ୍ଗ ମୋ ରଂକର ଝୁଲିଲୋ ।୩।

 

ମହାନଦୀ ସରୁବାଲି –ବଇକୁଣ୍ଠର ସେ ଜୀବନ ଝୁଲି,ମୋ ରଂଗ ବଧୁଲୀ

(ଆଜି) ତା ଲାଗି ମୋଘର ଖାଲି,ମୋ ରଂଗ ବଧୁଲୀ

ମୋ ରଂକର ଝୁଲିଲୋ ।୪।

 

୫୮ - ନମୋ ନମୋ ନାରାୟଣ

 

ନମୋ ନମୋ ନାରାୟଣ ନିଖିଳ ବିହାରୀ,

ମୁନି ମନ ରଂଜନ, ଜନ ମନ-ହାରୀ ॥୦॥

 

ମତ୍ସ, କଚ୍ଛପ, ବରାହ,ଆବର ଯେ ନରସିଂହ

ବାମନ, ପରଶୁରାମ, ରାମ ଅବତାରୀ ।୧।

 

ବଳିଆର ବଳଦେବ, ବୁଦ୍ଧ ବୋଧ ଜ୍ଞାନ ଭାବ,

କଳକୀ ରୂପୀ ମାଧବ, ଭକ୍ତ-ହିତକାରୀ ।୨।

 

ଧର୍ମରକ୍ଷା ପାଇଁ ହରି, ଦଶ ଅବତାର ଧାରୀ

ଶ୍ରୀ ଜୟଦେବ କବି ଗାଏ ଅନୁସରି ।୩।

 

ବଇକୁଣ୍ଠ ସେହି ପାଦେ, ବନ୍ଦନାକରେ ଆନନ୍ଦେ

ବସି ମୋର ହୃଦେ ପ୍ରଭୁ, ଝରା ପ୍ରେମ-ବାରି ।୪।

 

୫୯ - ନଇଁ ନଇଁ ଯାଏ

 

ନଇଁ ନଇଁ ସୂରୁଯ ତେଜଲୋ

ଧାଇଁ ଧାଇଁ ଆସେ ସଂଜ

ବିଧିର ବିଧାନେ ପ୍ରତ୍ୟେକ ଜୀବନେ

ସବୁ ଏହିପରି ହେଜଲୋ ! ମିତଣୀ !

ସବୁ ଏହିପରି ହେଜ ।୦।

 

ଆଜି ଯାହା ଦେଖୁ ଚହଟ ଚିକକଣ

କାଲିକି ସେହୁ ନିସ୍ତେଜ

ଆଜି ସେ ଭୁଂଜଇ ଦିବ୍ୟଶାଳି ଅନ୍ନ

ବେଳକୁ ନମିଳେ ପେଜଲୋ !ମିତଣୀ୧।

 

ଯେ ଶୟନ କରେ ପଲଙ୍କେ ବିଛାଇ

ତୂଳି ତଳପର ଶେଯ

ସେହି ପୁଣି ଦିନେ ବାଉଁଶ ଶିଡ଼ିରେ

ମଶାଣିକୁ ହୁଏ ସଜଲୋ ! ମିତଣୀ ।୨।

 

ଚେହେରା ସୁନ୍ଦର ଦରଶାଇ ନର

ଚାଲୁଥାଏ କରି ବ୍ୟାଜ

ହଟିଆ ନାଗର ହଟକରି ତାର

ସାରିଦିଏ ସବୁ ଖଂଜ ଲୋ ! ମିତଣୀ ।୩।

 

ସାରା ସଂସାରରେ ଯା ଦେଖୁ ନେତ୍ରରେ

ସାର କେଉଁ କଥା ଖୋଜ

କହେ ବଇକୁଣ୍ଠ ଜଗତର ଶ୍ରେଷ୍ଠ

ଇଷ୍ଟ ମୂର୍ତ୍ତି ମନ୍ତ୍ର ଭଜଲୋ ! ମିତଣୀ ।୪।

 

୬୦ - ନିତି ରାଧାକୃଷ୍ଣ ନାମ

 

ନିତି ରାଧାକୃଷ୍ଣ ନାମ ରସନାରେ ରଟ ଚଗଲାମନ

ମନ ବାଇରେ ହଟି ପଳାଇବ କଳିତମ ।୧।

 

ଏହି ନାମ ମୁକ୍ତି ମନ୍ତ୍ର-ଯଜ୍ଞ, ତପ ଜପ ବ୍ୟର୍ଥ ସମର୍ଥ

ମନ ବାଇରେ-ଏ ବେଳକୁ ଏ ସୁଗମ ପଥ ।୨।

 

ରାଧା ସର୍ବ ଆରାଧିକା କୃଷ୍ଣ ଆନନ୍ଦ ବର୍ଦ୍ଧନ ସେ

ମନ ବାଇରେ ତାଙ୍କୁ ଅନ୍ତର ଦୃଷ୍ଟିରେ ତକା ।୩।

 

ଶ୍ରୀମତୀଙ୍କୁ ଭକ୍ତି କଲେ-ବ୍ରଜେନ୍ଦ୍ର ନନ୍ଦନ ମିଳିବେ ବଳେ

ମନ ବାଇରେ-ଦରଶନ ଦେବେ ଅନ୍ତକାଳେ ।୪।

 

‘ରା’ ଟି ପରମ ଧାମ ‘ଧା’ ଜୀବଧାଏଁ ତା ସଂଗେପୁଣ

ମନ ବାଇରେ-କୃଷ୍ଣ ଅଟନ୍ତି ପୁରୁଷୋତ୍ତମ ।୫।

 

ରାଧା କୃଷ୍ଣ ଦୁଇ ଏକ- ଜଗତର ମାତା ପିତୀ ପ୍ରତ୍ୟକ୍ଷ

ମନ ବାଇରେ-ଭିନ୍ନ ଭାବନ୍ତି ଅଜ୍ଞାନୀ ଲୋକ ।୬।

 

ଶିରୀମତୀ ଶିରୀପତି ପୁରୁଷ ପ୍ରକୃତି ସ୍ଵରୂପେ ସ୍ଥିତି

ମନ ବାଇରେ-ତାଙ୍କ ତହୁଁ ସୃଷ୍ଟି ଉତପତି ।୭।

 

ସେହି ଗୁରୁଶିଷ୍ୟ ହୋଇ ଜନମାନସକୁ ଛନ୍ତି ଦେଖାଇ

ମନ ବାଇରେ-ଏହି ଭାବେ ଭକ୍ତି କର ରହି ।୮।

 

ସେ ପୁଣି ଆଦି ଅନାଦି-ଠୁଳ ଶୂନ୍ୟ ପରେ ତାହାଙ୍କ ଗାଦି

ମନ ବାଇରେ-ସେହି ରସିରେ ରଖ ତୁ ବାନ୍ଧି ।୯।

 

ନାଦ ବିନ୍ଦୁ ସେହି ପରା-ଜ୍ଞାନୀ କରିଥାନ୍ତି, ତାକୁ ପସରା

ମନ ବାଇରେ-ସେତ ପ୍ରେମ ବଳେ ଦ୍ୟନ୍ତି ଧରା ।୧୦।

 

ସାଧୁସଙ୍ଗ, ସତଶାସ୍ତ୍ର ବର୍ଣ୍ଣନା କରନ୍ତି ଯାହାଙ୍କ ତତ୍ତ୍ଵ

ମନ ବାଇରେ-ଗୁରୁ ସେବା କରି ବୁଝ ଅର୍ଥ ।୧୧।

 

ଭକ୍ତି ଭାବେ ଭାଗବତ-ପଢିଲେ ଲଭିବୁ ତୁ ପରମାର୍ଥ

ମନ ବାଇରେ-ଅନ୍ତେ ଦିଶିବ ମୁକତି ପଥ ।୧୨।

 

ଭିତରେ ବାହାରେ ଅନା –ବିଜୟ ଶ୍ରୀରାଧା ଶ୍ରୀକୃଷ୍ଣ ସିନା

ମନ ବାଇରେ-ଜାଣି ବୃଥା ଭରମି ମରନା ।୧୩।

 

କରୁଛୁ ଯେଉଁ କରମ-ଚାରି ଚରଣରେ କରି ଅର୍ପଣ

ମନ ବାଇରେ ସଦା ହୁଅ ତୁ ନିର୍ମଳ ମନ ୧୪।

 

ଭୂତ ଭବିଷ୍ୟତ ଛାଡ଼ି-ବର୍ତ୍ତମାନ ନିା ତୁ ଲୋଡ଼ି

ମନ ବାଇରେ -ପାର ହେବୁ ଏ ମାୟା କୁହୁଡ଼ି ।୧୫।

 

ରାଧାକୃଷ୍ଣ ନାମ ସାର-ବ୍ୟାପୀ ରହିଅଛି ସଚରାଚର

ମନ ବାଇରେ ମଜ୍ଜି ସେ ରସ ସିନ୍ଦୁର ।୧୬।

 

ସର୍ବହାରା ବଇକୁଣ୍ଠ-ସେ ପାଇଁ ସହିଛି ବହୁତ କଷ୍ଟ

ମନ ବାଇରେ-ଦିନେ ଦୟା କରିବେ ମୋ ଇଷ୍ଟ ।୧୭।

 

୬୧ - ନାବିକ କ୍ଷେପଣୀ

 

ନାବିକ କ୍ଷେପଣୀ ତୋ ଧରିଥା ଭିଡ଼ି

ନାବ ନେବଟି ତଡ଼ି ।୦।

ଆସୁଛି ବାଆ ତୋ ଦଦରା ନାଆ

ଭଉଁରି ମୁଖେ କାଳେ ଯିବଟି ପଡ଼ି ।୧।

ଆକାଶ ଚ୍ଛନ୍ନ ମେଘ ଦୁର୍ଦ୍ଦିନ

ବିଜୁଳି ସାଥେ ବଜ୍ର ଛାଡ଼ୁଛି ରଡ଼ି ।୨।

ହେବକେ ସାହା ତୁ ନ ଭାବୁ ଏହା

ବେଳ ଥାଉଁ ଆହୁଲା ରଖ ସଜାଡ଼ି ॥୩॥

ଏ ଭବେ ଯେତେ ମାୟା ସମସ୍ତେ

ବିପଦ ବେଳେ ସର୍ବେ ଯିବେଟି ଛାଡ଼ି ।୪।

 

ବସି ମଙ୍ଗର ସୁକାନ ଧର

ଦମ୍ଭ କରିଲେ ହେବୁ କୋଡ଼ି କଚାଡ଼ି ।୫।

 

ହେଲେ ତା’ ଦୟା ତୁ ପାଇବୁ ରାହା

ବଇକୁଣ୍ଠ କୁ ସଙ୍ଗେ ନେବୁକି ଲୋଡ଼ି ।୬।

 

୬୨ - ନେଳିଆ ଆକାଶ ତଳେ

 

ନେଳିଆ ଆକାଶ ତଳେ ଘେରି ଘନ ବଉଦ

ଘୋର ଗରଜନ ଘାତେ ବୁକେ ଉପୁଜାଏ ଖେଦ ।୧।

 

ଗହଳ ଅନ୍ଧାର ଡ଼ରେ ଲୁଚିଯାନ୍ତି ତରାଏ

ବିଜୁଳି ଝଲକ ମାରେ ଲୁଚକାଳି ପରାଏ

ଗଗନ କୋଳରେ ଜହ୍ନମାମୁ ଶୋଇ ସୁଖରେ

ଥରେ ଥରେ ଚାହେଁ ଆଖିଠାରି ଭାଙ୍ଗି ତା ନିଦ ।୨।

 

ବିନ୍ଦୁ ବିନ୍ଦୁ ନୀର କିବା ଝରେ ମେଘ ନୟନୁ

କିଏ କିବା କହିଲାକି କାନ୍ଦେ କେଉଁ କାରଣୁ

ବେଳେ ବେଳେ ରୋକି ରୋକି କେବେ ପୁଣି ଅଧୀରେ

ଅସରନ୍ତି ଲୁହଢାଳେ ବିକଳେ ଅତି କ୍ରୋଧ ।୩।

 

ଧନ୍ୟ ହେ ହରି ତୁମ୍ଭର ବିଚିତ୍ର ଏ ସଂସାର

କାହା ପାଇଁ କେ ନିସ୍ତରେ କିଏ ହୁଏ ଅସାର

କିଏବା ପାରିବ ବୁଝି ଏ ଅପାର ରହସ୍ୟ

ଅଭେଦ୍ୟ ଲୀଳାକୁ ଚିନ୍ତି ବଇକୁଣ୍ଠ ସ୍ତବଦ ।୪।

 

୬୩ - ନୂଆ ବରଷେ

 

ନୂଆ ବରଷେଆସ ହରଷେ

ବିରସ ତେଜି ବୀର ଯବାନ

ହୋଇ ଅଚିନ୍ତା ଗାଆରେ ବ୍ୟଥା

ଭାରତ ମାତା ଗୈାରବ ଗାନ ॥୧॥

 

ଆଶିଷ ଧୂଳି ଶିରରେ ବୋଳି

ଯିବାରେ ଚଳି ସୀମାନ୍ତ ସ୍ଥାନ

ଜଗିବା ଦେଶ ରଖିବା ଯଶ

ମାଆ ସେବାରେ ସାରିବା ଦିନ ॥୨॥

 

ଆସିଲେ ଅରି ନଯିବା ଡରି

ତଡ଼ିବା ଘେରି ଦେଇ ଜୀବନ

ବିଜୟ ନେତ ଧରିଣ ହାତ

କୁହ ଭାରତ ଧନ୍ୟରେ ଧନ୍ୟ ॥୩॥

 

୬୪ - ନୂତନ ଦିନ ଘେନ ପ୍ରଣାମ

 

ନୂତନ ଦିନ ଘେନ ପ୍ରଣାମ

ଏ ଦୀନେ କର ଆଶିଷ ଦାନ ।୦।

 

ନବ ଆଗମ ସରଣୀ ଚାହିଁ

ହରଷ ଚିତ୍ତେ ବସିଛି ମୁହିଁ ।

ନବୀନ ଭାବେ ବିଭୁଙ୍କୁ ଧ୍ୟାୟୀ

ନବ ଆନନ୍ଦେ ଭାଷୁ ମୋ ପ୍ରାଣ ।୧।

 

ନବୀନ ଛନ୍ଦେ ଗାଇ ସଂଗୀତ

ନବାନୁରାଗେ ହେବବି ତୃପତ

ନବୀନ ତାନେ ହେଉ ଝଂକୃତ

ଏ ମୋ ଜୀବନ ବୀଣାର ତାନ ।୨।

 

ନବୀନ ଜ୍ୟୋତି ଜାଳ ଅନ୍ତରେ

ପଳାଉ ଅମା ଅନ୍ଧାର ଦୂରେ

ବଇକୁଣ୍ଠିଆ ନାଚୁ ପ୍ରେମରେ

ଗାଇ ଶ୍ରୀରାଧା ଗୋବିନ୍ଦ ନାମ ।୩।

 

୬୫ - ପୂଜ୍ୟ ଏ ଆମ ଜନମ ଭୂମି

 

ପୂଜ୍ୟ ଏ ଆମ ଜନମ ଭୂମି

ସ୍ୱାଧୀନ ଏ ଆମ ଦେଶ

ଏହି ଦେଶର ପାଣି ପବନେ

ଗଢା ମୋ ରକ୍ତ ମାଂସ ॥୦॥

 

ଏହି ଦେଶର ବନ ପାହାଡ଼

ଝରଣା ପଥ ଦେଇ

ମନ୍ଦ ମଳୟ ବହିତ ଯାଏ

ଆମରି ଦେହ ଛୁଇଁ

ଭରା ସାଗର ଦିଅଇ ଧୋଇ

ମୋ ମାଆ ପାଦ ଦେଶ ॥୧॥

 

ଭିକାରିଣୀ ତ ନୁହେଁ ମୋ ମାଆ

ସହଜେ ରାଜରାଣୀ,

କୁମାରୀକାରୁ ହିମାଚଳ ତା’

ଅଟଇ ରାଜଧାନୀ,

ଅସଂଖ୍ୟ ଆମେ ଭାଇ ଭଉଣୀ

ତହିଁରେ କରୁ ବାସ

ସ୍ୱାଧୀନ ଆମ ଦେଶ ॥୨॥

 

ଲଙ୍ଗଳ ମୁନେ ତା ବକ୍ଷ ଚିରି

ରଚୁ ଶ୍ୟାମଳ ଶସ୍ୟ

ଶାନ୍ତି ସୁଖରେ ଉଦର ଭରି

କରୁ ମୁଠିଏ ଗ୍ରାସ,

ଜୀବନ ପଛେ ହୋଇବ ଶେଷ

ରଖିବୁ ଦେଶ ଯଶ

ସ୍ୱାଧୀନ ଏ ଆମ ଦେଶ ॥୩॥

 

୬୬ - ପୂଣ୍ୟମୟୀ ଜନ୍ମଭୂମି

 

ପୂଣ୍ୟମୟୀ ଜନ୍ମଭୂମି

ମାଟି ମାଆ ମୋର ଗୋ ।

ଜନ୍ମେ ଜନ୍ମେ ତୋ ପୟରେ

ଲୋଟୁ ମୋର ଏ ଶିର ଗୋ ।୦।

 

ଜନମି ତୋ କୋଳେ ମୁହିଁ,

ତୋ ପାଣି ପବନ ପାଇ

ମାନବ ନାମକୁ ବହି

ଗଢା ମୋ ଶରୀର ଗୋ ।୧।

 

ପାଳିଛୁ କୋଟି ସନ୍ତାନ

ନ କରି ଭେଦ ବାରଣ

ହିନ୍ଦୁ, ବୈାଦ୍ଧ, ମୁସଲମାନ୍

ସର୍ବେ ଏକ ତୋର ଗୋ ।୨।

 

ନାନା ଲତା, ବନ, ଗିରି

ଧରି ଶୋଭା ପାଏ ଶିରୀ,

କିଷାନ ତୋ ବକ୍ଷ ଚିରି,

ପାଳେ ପରିବାର ଗୋ ।୩।

 

କେତେ କେତେ ଧର୍ମ ବୀର

ଜନମି ତୋ ବୁକୁ ପର

ହୋଇଣ ସେବକ ତୋର

ହୋଇଲେ ଅମର ଗୋ ।୪।

 

୬୭ - ପ୍ରଚଣ୍ଡ ଗ୍ରୀଷ୍ମଋତୁ ଯହୁଁ ହଟିଲା

ପ୍ରଚଣ୍ଡ ଗ୍ରୀଷ୍ମଋତୁ ଯହୁଁ ହଟିଲା

ଘୋର ଗର୍ଜନେ ନବଘନ ଛୁଟିଲା ଯେ

ବନ ଗିରି କନ୍ଦର କରି ଅନ୍ଧାର

ବିଦ୍ୟୁତକୁ ଖେଳାଇ ହେଲା ବାହାର ଯେ ।୧।

ମଳିନ କରି ଚନ୍ଦ୍ର ସୂର୍ଯ୍ୟଙ୍କ ଜ୍ୟୋତି

ସଲିଳ ଝରାଇଲା ଗଗନୁ ନିତି ଯେ

ଧରାରୁ ଖରା ତାପ ଲିଭାଇ ଦେଲା

ସରସ ଆଣି ପ୍ରାଣୀ ମନେ ବାଞ୍ଛିଲା ଯେ ।୨।

ଆନନ୍ଦରେ ରାବିଲେ ଭେକ ଡାହୁକ

ଶୋଭିଲେ ପତ୍ର ପୁଷ୍ପେ ତରୁ ଯେତେକ ଯେ

ଶ୍ୟାମଳ ଶସ୍ୟ କ୍ଷେତ୍ରେ ହସିଲା ମାଟି

କୋମଳ ଲତା ବନେ ଗଲେକ ଲୋଟି ଯେ ।୩।

ନଦୀଏ ଦୀର୍ଘ ସ୍ରୋତା ହୋଇ ବହିଲେ

ସରୋବର ସଂପୂର୍ଣ୍ଣେ ସ୍ଥିର ରହିଲେ ଯେ

ଚାଷୀ ଭାଇଏ ମନେ ହୋଇଣ ଖୁସି

ଲାଗିଗଲେ କର୍ମରେ ଦଣ୍ଡେ ନ ବସି ଯେ ।୪।

 

ବରଷା କାଳ ଦେଲା ସବୁଙ୍କୁ ସୁଖ

ବି ଯୋଗୀ ନାୟିକାଙ୍କୁ ମାତ୍ର ଏ ଦୁଃଖ ଯେ

ଅର୍ଦ୍ଧ ରାତ୍ରରେ ଘୋର ଅନ୍ଧାର ଭୟେ

କାଳକୁ ନିନ୍ଦି କାନ୍ତେ କରିଲେ ଲୟ ଯେ ।୫।

 

ମହତ ଜନଙ୍କର ଏପରି ରୀତି

ସୁଖେ ଦୁଃଖେ ଘୋଡ଼ାଇ ରଖିଣ ଥାନ୍ତି ଯେ

ଜଣେ ଅଛି ସେ ଏକା ଅଭୟ ଦାୟୀ

ବସିଅଛି ବୈକୁଣ୍ଠ ତା ପଥ ଚାହିଛ ଯେ ।୬।

 

୬୮ - ପ୍ରଭୁ ତୁମି ଆମାର ବନ୍ଧୁ

 

(କୀର୍ତ୍ତନ ସ୍ଵର ବଙ୍ଗଳା)

ପ୍ରଭୁ ତୁମି ଆମାର ବଂଧୁ-ହେ କରୁଣା ସିନ୍ଧୁ

ତୁମି ଆମାର ପ୍ରାନ୍ ପତି

ତୁମିଇ ଆମାର ସଖା ସହୋଦର

ତୋମାର ବିନେ ନାଇଁ ଗତି ।

(ଦୁହା) ଗତି ନାଇ ଗତି ନାଇ, ତୋମାର ବିନେ

ଭବେ ଆନେ ଗତି ନାଇ ଗତି ନାଇଁ ।୦।

 

ତୁମିଇ ବିଦ୍ୟା ତୁମିଇ ଅବିଦ୍ୟା

ତୁମି ଜଗତେର ଗୁରୁ

ଭୟେର ଅଭୟ ଓହେ ପ୍ରେମ ମୟ

ଭକ୍ତ ବାଞ୍ଛା କଳ୍ପତରୁ

(ଦୁହା) ତୁମି ଜଗତେର ଗୁରୁ, ଭକ୍ତ ବାଞ୍ଚା କଳ୍ପତରୁ ।୧।

 

ତୁମି ମୋର ବୁଦ୍ଧି ତୁମି ସର୍ବ ସିଦ୍ଧି

ତୁମି ଆମାର ଜ୍ଞାନ ଦାତା

ତୁମି ଆମାର ମାତା ତୁମି ଆମାର ପିତା

ତୁମି ଇତି ହର୍ତ୍ତା କର୍ତ୍ତା

(ଦୁହା) ତୁମି ମାତା ତୁମି ପିତା ।୨।

 

ତୁମି ଜଗତର କର୍ତ୍ତା

ତୁମ ସତ୍ୟ ଶିବ ସୁନ୍ଦର ମାଧବ

ତୁମିତ ମଙ୍ଗଲମୟ

ତୋମାରି ଚରନ୍ କରିୟାଁ ସ୍ମରନ୍

ଯେନ ଏଇ ପ୍ରାନ୍ ଯାୟ

(ଦୁହା) ବଇ ବ୍ରହ୍ମଚାରୀ କୟ

ରାଙ୍ଗାପାୟେ ରେଖେ ଲୟ ।୩।

 

୬୯ - ଫକିରିକା ଠାକୁର୍‍ ତୁମ୍

 

(ହିନ୍ଦୀ ଭଜନ)

ଫକିରିକା ଠାକୁର୍ ତୁମ୍ କାହାଁ ରହେଁ ହୋଁ

ଫୁକାରତା ମୈଁ ଅବ୍ ଆଜାୟେ

ଶରନକା ପୟର ଭିଜ୍ ଦିଏ

ମେରେ ଅନ୍ତରକା ଅରଜି ଲେଯାୟେ ।୧।

 

ତୋହାଁରି ନାମମେ ସବ୍ ଛୋଡ଼ଦିଆ

ତୋହାଁରି ପ୍ରେମସେ ସବ୍ ହୁଡ଼ ଗିୟା

ତୋହାଁରି ରୂପ ଦରଶନ ମେଁ ଆଖିଆଁ

ସାରା ସଂସାର ମାୟା ଝୁଟ ସମଝାଁୟେ ।୨।

 

ସୁତ୍ ବଦ୍ ମାତ୍ କୁଛୁ ନେଇଁ ହାମାରା

ଅନ୍ତକାଳେ ଦେ ଦରଶନ ପ୍ୟାରା

ବଇକୁଣ୍ଠିଆ ପ୍ରାନ୍ ଭଜନ୍ ମେସାରା

ଜନମେ ଜନମେ ଦାସ ବନଲାୟେ ।୩।

 

୭୦ - ପରାଣ ମୋହି କିଏ

 

ପରାଣ ମୋହି କିଏ ଗଲାରେ ଗାଇ

ପ୍ରେମେ ମଜାଇ କେଣେ ଲୁଚିଲା ଯାଇ

ବାଜିଉଠେ ମୋ ମରମେଁ ସେ ମୂର୍ଚ୍ଛନା ଅବିରାମେ

ବ୍ୟାକୁଳ ହୁଏ ମନ ଯିବିକି ଧାଇଁ ।୧।

 

ନୂଆ ନାଟୁଆ କେଉଁ ନବୀନ ଦେଶେ

ବଉଦ ସଂଗେ କିବା ମିଶି ଆକାଶେ

ହୃଦସ୍ପର୍ଶୀ ବୀଣା ତାରେ, ଗାଇଲା ଝଂକାର ସ୍ଵରେ

ଶ୍ରବଣେ ମୋ ଦମ୍ଭ ଧୈର୍ଯ୍ୟ ଦେଲା ଟଳାଇ ।୨।

 

୭୧ - ବଳ ବୟସ ମୋ ଆସିଲା ସରି

 

ବଳ ବୟସ ମୋ ଆସିଲା ସରି, ମୋ କାଳିଆ ଦିଅଁ

ବିଦାୟ ଦିଅନ୍ତୁ ମୋତେ ସେ-ପାରି ,ମୋ କାଳିଆଁ ଦିଅଁ ।ଘୋଷା।

ବିନୟ ମୋହର ଘେନ ଗୋସାଇଁ,ମୋ କାଳିଆ ଦିଅଁ

ବଡ ଅପରାଧି ମୁହିଁ ଅଟଇ,ମୋ କାଳିଆ ଦିଅଁ ।୧।

ବିଚାରି ଯେ’ସ୍ଥାନେ ଦିଅନ୍ତୁ ଠାବ, ମୋ କାଳିଆ ଦିଅଁ

ବୁଲୁଥିବି ଗାଇ ନାମକୁ ତବ,ମୋ କାଳିଆ ଦିଅଁ ।୨।

ବେନିକର ଯୋଡ଼ିଏତିକି କହେ,ମୋ କାଳିଆ ଦିଅଁ

ବେଳ ବିତୁ ରଖି ତୋ’ ପାଦେ ଲୟେ, ମୋ କାଳିଆ ଦିଅଁ ।୩।

ବିପଦ ବେଳେ କାତର ନୋହିବି,ମୋ କାଳିଆ ଦିଅଁ

ବାରମ୍ବାର କୃଷ୍ଣ ତ୍ରାହି କହିବି, ମୋ କାଳିଆ ଦିଅଁ ।୪।

ବଡ ବୋଲି ଆଶ୍ରା କରିଛି ମୁହିଁ, ମୋ କାଳିଆ ଦିଅଁ

ବଡ଼ବାନଳେ ବୁଡ଼ାଇବ ନାହିଁ,ମୋ କାଳିଆ ଦିଅଁ ।୫।

 

ବଡ଼ ଭୟ କାଳେ ସାହା ହୋଇବ, ମୋ କାଳିଆ ଦିଅଁ

ବଇକୁଣ୍ଠିଆକୁ ଦର୍ଶନ ଦେବ, ମୋ କାଳିଆ ଦିଅଁ ।୬।

 

୭୨ - ବଲ୍‍ ଦାଦା ସେ ଦିନ୍‍ କି ହବେ

 

ବଡ଼ି ବରଗୁଡ଼ି ରାଇ ବୋଲେ ବଡ଼ି ବରଗୁଡ଼ି ରାଇ…

କଣ୍ଟ ଦେଇବଂଧୁ ଆସିଲେ ନାହିଁ ….

କାଲି ବେଶ ସାଜିଥିଲି, ଚାହିଁ ମୁଁ ରଂଗ ରସୁଣ ଫୁଲ

ରଂଗ ରସୁଣ ଫୁଲ ।୧।

 

ବଡ଼ ବରଗଛ ଛାଇ ବୋଲେ ବଡ଼ ବରଗଛ ଛାଇ….

କେବେ କାନେ ଦିନେ ଶୁଣିତ ନାହିଁ

ଧନ କାହା ପ୍ରେମେ ଥିଲେ ବାଇ ନାଁ ରଂଗ ରସୁଣ ଫୁଲ ।୨।

 

ବିରି ଖାଇଗଲା ଗାଈ ବୋଲେ ବିରି ଖାଇଗଲା ଗାଈ

ମନ କଥା ମନେ ଗଲା ମିଳାଇ

ମିଳନର ଯୋଗ ଦେଲା ନାହିଁମଁ ରଂଗ ରସୁଣ ଫୁଲ ।୩।

 

ବଢ଼ି ବଢ଼ି ଆସେ ନଈ ବୋଲେ ବଢ଼ି ବଢ଼ି ଆସେ ନଈ

ପ୍ରୀୟ ପ୍ରୀତି ପଣ ନେଲା ଭସାଇ

ବଇକୁଣ୍ଠ କଷ୍ଟ ମେଣ୍ଟି ନାହିଁ ମଁ ରଂଗ ରସୁଣ ଫୁଲ

ରଂଗ ରସୁଣ ଫୁଲ ।୪।

 

୭୩ - ବଲ୍‍ ଦାଦା ସେ ଦିନ୍‍ କି ହବେ

ବଲ୍ ଦାଦା ସେ ଦିନ୍ କି ହବେ

ଯେ ଦିନ୍ ତୁମି ଓପାର୍ ଛେଡ଼େ

ଅପର ପାରେ ଯାବେ ।୦।

ଯେ ଦିନ୍ ଗ୍ରିହ ଛାରା ହୟେ

ଯା ବିରେ ଶମନ୍ ଆଲୟେ

ତାଦେର୍ ଦରବାରେ ଗିୟେ

କି ହିସାବ ଦିବେ (ସେଖାନେ) ।୧।

ଭାଇ ବନ୍ଧୁ ପରିବାର କେଉ

ସାଥେ ଯାବେନାରେ ତୋର୍

ପଥେ ଯେତେ ଘନ ଅନ୍ଧାର

ୟେକଲା ଯେତେ ହବେ ଦାଦା….ଏକଲା ।୨।

ଫୋନ୍ ଫ୍ୟାନ୍ ଗାଡ଼ି ବାଡ଼ି

ରଙ୍ଗେର୍ ଶାଲ ଘଡ଼ି ଛଡ଼ି

ଏଖାନେ ସବ୍ ରବେ ପଡ଼ି

ଏକବାର ଦେଖ ଭେବେ

ଦାଦା… ଏକବାର୍ ।୩।

ଉପାର୍ଜିତ ଯତ ଧନ୍

ବାଞ୍ଚାବେ କି ତୋମାର ପ୍ରାନ୍

ବଲଦାଦା ତବେ କେନ

ଘୁରେ ମର୍ ଭବେ

ଦାଦା ଘୂରେ ମର ଭବେ ।୪।

ବଇକୁଣ୍ଠ ବଲେ ଦାଦା

ଛାଡ଼ିଏ ବିଷୟ ଧାନ୍ଦା

ଗୁରୁ ତରନେ ପ୍ରାନ୍

ବାନ୍ଧା ଦିଏ ଥାକ୍ ଶୁଭେ

ଦାଦା ତାଇତ୍ ଭାଲ ହବେ ।୫।

 

୭୪ - ବିଭୁ ତୋମାୟ କି ନାମେ (ବଂଗଳା)

 

ବିଭୁ ତୋମାୟା କି ନାମେ ଡାକିବ ଆମି

କେ ବଲେ ମୁରାରୀ କେହୋ ଗିରିଧାରୀ

କେ ବଲେ ବିଶ୍ଵେର ସ୍ଵାମୀ ।୦।

 

କେ ବଲେ ହରି ଗୋଲକ ବିହାରୀ

ଆବାର ଅନ୍ତରର୍ଯାମୀ

କେବଲେ ଗୋକୁଲ ସଂପଦ ସକଲ

ପ୍ରେମ ଦାତା ପୂର୍ଣ୍ଣ ପ୍ରେମୀ ।୧।

 

ଭକ୍ତି ଭାବେ ଭକ୍ତ ନାମ ଦିୟେ କତ

ଶ୍ରୁତି ଶାସ୍ତ୍ରେ ଆଛି ଶୁନି

ନାଇଁ କାଶକତି ଭକତି ଓ ରତି

ଆମେ ହୀନ ମନ୍ଦ ପ୍ରାନୀ ।୨।

 

ଯନ୍ତ୍ର ମନ୍ତ୍ର ତନ୍ତ୍ରନାମ ଜ୍ଞାନ

ତତ୍ତ୍ଵ କିଛୁଇତ ନାଇଁ ଯାନି

ଯେ ଇଚ୍ଛା ତୋମାୟ କରଦୟାମୟ

ସୃଷ୍ଟି କର୍ତ୍ତା ବଲେ ମାନି ।୩।

 

ମୋର ଏଇ ଆଶା ତୋମାୟେ ଭାଲ ବାସା

ଥାକେ ଯେନ ଚିରଦିନ୍

କାମନା ବାସନା କିଛୁଇ ଚାଇନା

ବଇକୁଣ୍ଠ ପତି ତୁମି ।୪।

 

୭୫ - ଭକତ ମୋ

 

ଭକତ ମୋ ପ୍ରାଣ ଭକ୍ତ ମୋ ଜୀବନ

ଭକ୍ତ ପାଇଁ ମୋର ନାମ ଭଗବାନ ।୦।

 

ଭକତ ହିତେ ମୁଁ ସାଜେ ନାନା ବେଶ

ତାହା ଲାଗି ପୁଣି ସହେ ବହୁ କ୍ଳେଶ

ଭକତ ପରାଣ ଜାଗିଲେ ମାନସ

ଅବିଳମ୍ବେ କରେ ତା ପାଶେ ଗମନ ।୧।

 

ଅନ୍ତର ଫଟାଇ ଉଠିଲେ ତା କୋହ

କାନେ ବାଜି ହୃଦ ହୁଏ ମୋ ଅଥୟ

ମୋହ ବିନା ତାର ନାହିଁ କେ ଆଶ୍ରୟ

ତେଣୁ ମୁଁ ଅଭୟ କରେ ତାକୁ ଦାନ ।୨।

 

କାଳେ କାଳେ ବଂଧୁ ଭକତ ମୋହର

ସେ ପାଇଁ ହୁଏ ମୁଁ କେତେ ଅବତାର

ସେ ପରା ଅଟେ ମୋ ସଖା ସହୋଦର

ତା’ ଦୁଃଖେ ବ୍ୟାକୁଳ ହୁଏ ମୋ ପରାଣ ।୩।

 

ଭକତ ପ୍ରେମରେ ଥାଏତ ମୁଁ ବନ୍ଧା

ଭକତ ନିମନ୍ତେ କରେ କେତେ ଧନ୍ଦା

ତହିଁର ପ୍ରମାଣ ପ୍ରିୟତମ ରାଧା

ବୁଝି ନ ପାରେ ୟା ବୈକୁଣ୍ଠ ଅଜ୍ଞାନ ।୪।

 

୭୬ - ଭାବୁଛି ମୁଁ ମନେ

ଭାବୁଛି ମୁଁ ମନେ ଏ ଜଗତ ଜନେ

ଯେ ଯାହାକୁ ଭଲ ପାଏ

ଜାଣିତ ପାରୁନି କି ଉଦ୍ଦେଶ୍ୟ ପୁଣି

ତହିଁ ସନ୍ନିହିତ ଥାଏ ।୦।

ଭଲ ଯେବେ କେବେ ପାଉ ଥାଏ ଭବେ

ଯଉବନ ରୂପ ମୋହେ

ତାହାତ ଅସ୍ଥିର ନୁହଁଇତ ସ୍ଥିର

ମାତି ଥାନ୍ତି ବୃଥା ସ୍ନେହେ ।୧।

ଧନ, ଯଶ,ଗୁଣ ମାନ ବଡ ପଣ

କାଳେ ବେଳେ ଲୟ ହୁଏ

ଅକ୍ଷୟ ଅବ୍ୟୟ ଚିର ପ୍ରେମମୟ

ଖୋଜୁଛି ଏପରି କିଏ ? ।୨।

ସବୁଠୁ ସୁନ୍ଦର ସବୁରି ଆଦର

ହୋଇ ଯେ ସବୁଠି ରହେ

ତାକୁ ଦୃଢ କରି ରଖ ହୃଦେ ଧରି

ବାଇଆ ବୈକୁଣ୍ଠ କହେ୩।

 

୭୭ - ମଧୁମାସ ପରବେଶେ

 

ମଧୁମାସ ପରବେଶେ ଗୋ ମଧୁମାସ ପରବେଶେ

ଜାଣି ମଲ୍ଲୀ ରାଣୀ ମୁରିକି ହସେ ଗୋ ମଧୁମାଳତୀ..

ସାଜଇ ସୁନ୍ଦର ବେଶେ ।୧।

ଆଖି ମେଲି ନାଗେଶ୍ଵର ଗୋ ଆଖିମେଲି ନାଗେଶ୍ଵର…

ଚାହେଁ ଆସୁଛି କି ବଂଧୁ ତାହାର ଗୋ ସେ ପାଇଁ ତା’ ର

ମୁକୁଳା ରହିଛି ଦ୍ୱାର ॥୨॥

ଅଳି ହୋଇ ତରତର ଗୋ ଅଳି ହୋଇ ତରତର ......

ସଜାଡ଼ି ମିଳାଇ ନିଏ ତା ସ୍ଵର ଗୋ ହେଲେ ମଧୁର ,

ଶୁଣାଇବ ପ୍ରିୟେ ତାର ।୩।

ପ୍ରିୟା ମନଭାବ ଜାଣି ଗୋ ପ୍ରିୟା ମନ ଭାବ ଜାଣି

ଗୁଣୁ ଗୁଣୁ ତାନେ ଗାଇ ଗାଆଣୀ ଗୋ ଧରି ରାଗିଣୀ…

ଭ୍ରମର ମିଳଇ ପୁଣି ।୪।

ବସି ଫୁଲ ରାଣୀ ପାଶେ ଗୋ ବସି ଫୁଲରାଣୀ ପାଶେ

ମୁଖେ ମୁଖ ଦେଇ କି ଚାଟୁଭାଷେ ମୁଖ ଆଉଁଶେ

ମଧୁ ପିଅଇ ହରଷେ୫।

 

୭୮ - ମଧୁରେ ବାଜ ମୁରଲୀ

 

ମଧୁରେ ବାଜ ମୁରଲୀ ,ବାଜ ସଧୀରେ ।

ମଳୟ ମରୁତ ମିଶାଇଣ ବିଧିରେ ।୦।

 

ମୋହିଣ ତ୍ରିପୁର ମନ –ପ୍ରବେଶି ଗୋପ ଭୁବନ

ବୃଷଭାନୁ ସୂତା ପ୍ରାଣ ମତା ପ୍ରେମରେ ।୧।

 

ରାଧା ରାଧା ଅବିରତ –ସ୍ଵରେ ଗାଅ ତୁ ସତତ

ଉଚ୍ଚାଟ କରା ଜଗତ କୃଷ୍ଣ ଭାବରେ ।୨।

 

ମୋ ନାମେ ଉଦାସୀ ହୋଇ ସକଳେ ଆସନ୍ତୁ ଧାଇଁ

ପ୍ରବେଶିଣ ନିତ୍ୟ ଭୂଇଁ ନାଚନ୍ତୁ ଧୀରେ ।୩।

 

ତୁଟାଇଣ ସବୁ ଧନ୍ଦା- ଲଗାଇ ଦିଅ ମୋ ଫନ୍ଦା

ବନ୍ଧା ହେଉ ବଇକୁଣ୍ଠ ଛନ୍ଦା ପାଦରେ ।୪।

 

୭୯ - ମାଗୋମାଁକାର୍କାଛେ (ବଂଗଳା)

 

ମାଁ ଗୋ…ମାଁ କାର୍ କାଛେ ବଲବ ଆମାର ହ୍ରିଦୟ ବେଦନା

ତୋମାର୍ ମତନ ଧରାଧାମେ

କାରେ ପାଇନା ଓମାଁ କାରେ ଦେଖିନା ।୦।

 

ତୁମି ଅରୂପ ରୂପିନୀ ତୁମି ଜଗତ ଜନନୀ

ତୁମି ଯାର ସାହା ହୟ ତାର କି ଯାତନା ଆର୍ ।୧।

 

ତୁଇତ ମା’ କାଲି ଶ୍ୟାମା ତୁମି ଆବାର ହରେର୍ ବାମା

ହୟେ ଗିରିରାଜ ଜେମା କର ସାଧନା ।୨।

 

ତ୍ରିପୁର ମନ ମୋହନୀ ଜୟ ମହିଷ ମର୍ଦ୍ଦନୀ

ଦକ୍ଷଯଜ୍ଞ ବିଧ୍ଵଂସିନୀ ଜୟ ମା’ ଉମା ।୩।

 

ସ୍ନେହମୟୀ ମାତୃ ତୁମି ଅବୋଧ ସନ୍ତାନ ଆମି

ବୈକୁଣ୍ଠ ବଲେ ଭବାନୀ ଧରାଧାମେ କାରେ ପାଇନା ।

ସନ୍ତାନେ କର ମା’କ୍ଷମା ।

 

୮୦ - ମୋତେ ଏ ସଂସାରୁ

 

ମୋତେ ଏ ସଂସାରୁ,କର ବାରେ ତ୍ରାହି ଭାବଗ୍ରାହୀ ।୦।

ଭବ ସାଗରର ଲୀଳା, ଅଟେ ତୋ ମାୟାର ଖେଳା,

ମୋହ ମଦେ କରୁ ଭୋଳା, କେ ସହିବ ଏତେ ଜ୍ଵାଳା

ବ୍ରହ୍ମା ବଣା ହେଲେ ବେଦେ ରହିହେ ।୧।

 

ଧନ୍ୟ ସେହି ବ୍ରଜନାରୀ ,ଦେଲ ପ୍ରଭୁ କୃପାବାରି,

ହେଲେ ରାସେ ବ୍ରସେ ଅଧିକାରୀ ସର୍ବସ୍ଵ ଅର୍ପଣ କରି

ଥିଲ ତାଙ୍କ ଭାବେ ବନ୍ଧା ହୋଇ ହେ, ।୨।

 

ନେତ୍ର ଫେଇ ଦେଲେ ଚାହିଁ ,ଯିବ ମୋ ଦୁଃଖ ପଳାଇ

ନିଷ୍ଠୁର ହେଲେ ଗୋସାଇଁ ନିଜେ ସରିଯିବି ମୁହିଁ

ତୁମ୍ଭ ପରି ଆଶ୍ରା ମୋର ଥାଇ ହେ ।୩।

 

କାମନାର ମୋହ ଫାଶ କାଢି ନିଅ ହୃଷୀକେଶ

ଆଉ ନ କରି ନିରାଶ କର ତୋ ଦାସ ର ଦାସ

ବଇକୁଣ୍ଠ ଆନ ନ ମାଗଇ ହେ ।୪।

 

୮୧ - ମୋହନ ହେ ମରମେ ମୋତେ ମାରନା

 

ମୋହନ ହେ …..ମରମେ ମୋତେ ମାରନା

ଯଶ ଅର୍ଜିଛ ଯେତେ ଲାଣିଛନ୍ତି

ଜଗତେ ଜନାପବାଦେ ସାରନା ।୦।

 

ରଙ୍ଗା ରାଜୀବ ନେତ୍ର ରୋଳେ ବାନ୍ଧିଲେ ମାତ

ଲକ୍ଷ୍ୟ କରନି ନାଥ ଲଭିଥିବ କି ବ୍ୟସ୍ତ

ଲବଣି ଚୋରେ ଗୋପୀ ଲେଉଟି ଦେଲେ ମୁଖି

ବେଶି ବଡ଼ିମା କରନା ।୧।

 

ଶୁଭିଲେ ନିନ୍ଦାରବ ଶୁଣ ଶରଣ ଧବ

ସରସ ପଣ ତବ ସାରି ଦେବି କେଶବ

ଶେପେ କରିବି ବଳି ସନ୍ତୋଷେ ହୃଦେ ବାନ୍ଧି

ସାମାନ୍ୟ ପାଇଁ ହାରନା ।୨।

 

ହାର କରିଛି ତୋନା ହଜାନା ମୋ ଚେତନା

ହରଷେ ନନ୍ଦ କହ୍ନା ହର ମନ ବେଦନା

କ୍ଷୁଦ୍ର ବଇକୁଣ୍ଠିଆ କ୍ଷିତିରେ ତୋ ବେଠିଆ

କ୍ଷୋଭେ ତା ଦୋଷ ଧରନା ।୩।

 

୮୨ - ମିତଚାହିଁ ଗୋ ଥରେ

 

ମିତ ଚାହିଁ ଗୋ ଥରେ

କି ରଂଗେ ଝୁଲନ୍ତି ଶ୍ୟାମ ରାଇ ସଙ୍ଗରେ ।୦।

ଆଜି ରସିକ ରାଜ ସାଜି ନବୀନ ସାଜ

ବିଜେ ଝୁଲଣ କୁଞ୍ଜେ ବରଜ ଯୁବରାଜ

କି ସୁନ୍ଦର ସେ ତେଜ ପାଖେ ସଖୀ ସମାଜ

ଛନ୍ତି ସେବାରେ ।୧।

 

ପଦ ନୂପୁର ତାନ କମ୍ପାଏ ବୃନ୍ଦାବନ

ମୃଗ ମଦ ଚଳନ ଦେଶେ କି ଶୋଭାବନ

ତା’ ତେରଛ ନୟନ ଭଙ୍ଗୀ କେଡ଼େ ଯତନ

ଚାହେଁ ବାଙ୍କରେ ।୨।

 

ପୁଣି ଗୋ ଗୋପ ଶଶୀ ମୃଦୁ ହସରେ ହସି

ସୁ ସ୍ଵରେ ବାଏ ବଂଶୀ ଜନ ମନକୁ ତୋଷି

ଗୁଣି ତା ଗୁଣରାଶି କେଉଁ ଷୋଡ଼ଶୀ ପଶି

ରହିବ ଘରେ ।୩।

 

ଢାଳି ମୟୂର ଚୂଳ ପ୍ରେମରେ ହୋଇ ଭୋଳ

ଝୁଲନ୍ତି ଦୋଳି ପରେ ରାଧାଙ୍କୁ ଧରି କୋଳ

ହରଷେ ସଖୀ କୁଳ ଧରି କୁସୁମ ଦୋଳ

ଝୁଲାନ୍ତି ଧୀରେ ।୪।

 

କେହୁ ଧରି ଚାମର ଚାଳନ୍ତି ଧୀର ଧୀର

ଧରି କରକୁ କର ନୃତ୍ୟେ ରତ ଆବର

ମନ ବଇକୁଣ୍ଠର ରହୁ ବୃନ୍ଦାବନର

କୁଞ୍ଜ କୁଟୀରେ ।୫।

 

୮୩ - ମିତ ମୋର ମଥାସିନ୍ଦୂର ନଟନାଗର ବର ଗୋ

ମିତ ମୋର ମଥା ସିନ୍ଦୂର

ନଟ ନାଗର ବର ଗୋ

ଘନ ବରନ ମନମୋହନ

ମୋ ଗଳାର ହାର ଗୋ ।୦।

ଦିନେ ନ ଦେଖିଲେ ନୟନେ

ଜୀବନ ଅସାର ମୁଁ ମଣେ

ତା’ ର ବଂଶୀ ତାନ, ଶୁଣିବାକୁ କାନ,

ଡେରି ଥାଏ ମୋର ଗୋ । ୧।

ନିତି ତାଚନ୍ଦନ ତୁଳସୀ

ପାନ କରି ହୁଏ ମୁଁ ଖୁସି

ତା’ର ଚନ୍ଦ୍ରମୁଖ ଦେଖି ସବୁ ଦୁଃଖ

ଯାଏ ତ ପାସୋରି ଗୋ ।୨।

ସରବ ବିଷୟ ବରଜି

ଶ୍ୟାମ ପ୍ରେମେ ଥିବି ମୁଁ ମଜ୍ଜି

ଅରଜିବି ପଛେ, ଅପବାଦ ସ୍ଵଚ୍ଛେ,

ତିଳେ ନାହିଁ ଡର ଗୋ ।୩।

 

ଛାଡ଼ି ଜାତି ମାନ ମହତ

ବିକି ଦେଲି ତାଙ୍କୁ ମୋ ଚିତ୍ତ

କହେ ବଇକୁଣ୍ଠ ,ତା ଠାରୁ କେ ଶ୍ରେଷ୍ଠ ,

ନାହିଁ ଜଗତରେ ଗୋ ।୪।

 

୮୪ - ମୋ ନାନୀଲୋ

 

ମୋ ନାନୀଲୋ ଅନା ନୂଆ ବସନ୍ତ ବହିଲାଣି ।୦।

 

ଚାଟ ପିଲାଏ ମିଳି ….ଅରପି ପୁଷ୍ପାଞ୍ଜଳି

ବୀଣାପାଣିଙ୍କ ପୂଜା ସାଇଲେଣି…..ମୋ ନାନୀ ଲୋ ।୧।

 

ଅଶୋକ ନାଗେଶ୍ଵର… ହୋଇଣ ତରତର

ତା’ର କଳିକା ମେଲି ଚାହିଁଲାଣି ମୋ ନାନୀଲୋ ।୨।

 

ରସାଳ ଡାଳେ ବସି କୋକିଳ ହୋଇ ଖୁସି

ଧୀରେ କୁହୁତାନରେ ଗାଇଲାଣି ମୋ ନାନୀଲୋ ।୩।

 

ବସନ୍ତ ବିଜେ ଦେଖି ….. ହେମନ୍ତ ହୋଇ ଦୁଃଖୀ

ନିଜ ମନରେ ଗଂଜି ହୋଇଲାଣି…ମୋ ନାନୀଲୋ୪।

 

ବି ଯୋଗିନୀ ତରୁଣୀ …. କରି କେତେ ଦଇନି

ପ୍ରାଣ ପ୍ରିୟ ଆସ ହେ କହିଲାଣି ମୋ ।୫।

 

କହଇ ବଇକୁଣ୍ଠ… ହେଲା ହୋଲି ନିକଟ

ମନ ରାଧାକୃଷ୍ଣଙ୍କୁ ଧ୍ୟାୟିଲାଣି… ମୋ ନାନୀ ଲୋ

ଅନା –ନୂଆ ବସନ୍ତ ବହିଲାଣି ।୬।

 

୮୫ - ରଙ୍ଗ ଅପାଲୋ ଖପା

 

ରଙ୍ଗ ଅପାଲୋ ଖପା ତୁ ହୋଇଲୁ କି ? ମୋ ଠାରେ

ସଫା କହିଲି ବୋଲି ଦଫାକୁ ନ ଦେ ଠେଲି

ଲଫା ଅଛି ଜାଣିଥା ମୋ କଥାରେ ।୧।

 

ଆଜି ଯେ ରଙ୍ଗ ରହସେ ମାତିଛୁ ତୁହି

କାଲିକି ଏ ନାଲି ସବୁ ଯିବ ଉଭାଇ

ଚୁଲି ମୁଣ୍ଡରେ ବସି ଖାଲି ହୋଇବୁ ଘୋଷି

ବାଲି ଗଣିବୁ କରି ବୃଥା ଚିନ୍ତାରେ ।୨।

 

ପରକୁ ଆପଣା କରି ଧାଇଁ ମରୁଛୁ

ଜୀବନ ଯୌବନ ଧନ ସବୁ ସାରୁଛୁ

ପଣତ କାଳେ ତୋର ବୁଝିବୁ କିଏ କାର

ପର ବୋଲି ମୋ ବୋଲ ମଣୁ ପିତାରେ ।୩।

 

ନିଜର ଯେ ତାକୁ କରି ତୁ ସାତପର

ଦିନେ ତ ତାହାକୁ କଲୁ ନାହିଁ ଆଦର

ଜ୍ଞାନ ନୟନେ ଥରେ, ଭାବ ତୋ ହୃଦୟରେ

ବଇକୁଣ୍ଠ କହେ ସେ ସୁଖ ଦାତାରେ ।୪।

 

୮୬ - ରେ ମୂଲିଆ

 

ରେ ମୂଲିଆ ମାଟି ମାଆକୁ ସେବ

ତୋତେ ଏ ମାଆ ହୋଇଲେ ସାହା

ତୋ ଦୁଃଖ ହଟିଯିବ ରେ ମୂଲିଆ...... ।୦।

 

ଏଇ ଜନମ ମାଟିକୁ ଅନା

କୋଟି ସନ୍ତାନେ ଯୋଗାଏ ଦାନା

ଧନରତନେ ପୂରିଛି ସିନା

ଏଇ ମୋର ଗର୍ଭ....... ।୧।

 

ମୁଠିଏ ବୁଣି ଦେଲେରେ ଭାଇ

କୋଟି ଗୁଣରେ ସେ ପ୍ରକାଶଇ

କମର କଷି ଲାଗରେ ତୁହି

ନିଶ୍ଚେ ସେ ବର ଦେବ ......... ।୨।

 

ବନ୍ଦନା ତାରଗାଇ ମୁଖରେ

ତା’ ସେବା ନିତି କର ସୁଖରେ

ଦରିଦ୍ର ବ୍ୟାଧି ଯିବରେ ଦୂରେ

ଦେଖିବୁ ଲାଭ ହେବ ........ ।୩ ।

 

୮୭ - ଲୋ କଳା କୋଇଲି

 

ଲୋ କଳା କୋଇଲି ରାମ ରାମ ବୋଲି

ଥରେ ଉଡ଼ି ଉଠି ଯାଆ ଲୋ

ବାପୁଜୀ ଆମର ଦୂର ଦେଶାନ୍ତର

ହୋଇଛନ୍ତି ଯେଉଁ ଗାଆଁଲୋ

ତାଙ୍କୁ କହ ତୁ ଯାଇ ଏହି ଦେଶ ଲୋ ଏହି ଦେଶ

ଏହି ଦେଶ ଭାଳେ ତାଙ୍କ ପାଇଁ ଲୋ ।୧।

 

ଦେଇ ସ୍ଵାଧୀନତା କରି ନାନାଚିନ୍ତା

ଶାନ୍ତିରେ ମୁଦି ସେ ଆଖି

ଗଲେ ଆରପାରେ ନିଷ୍ଠୁର ଅନ୍ତରେ

ଶିଶୁ ପଲ କରି ଦୁଃଖୀ ଲୋ

ପିଜ କହିବୁ ସତ

ହା ହତାଶେ ଛନ୍ତି ତାର ସୂତ ଲୋ ।୨।

 

ହୋଇ ହୀନିମାନ ସତ ଶାନ୍ତି ଶୂନ୍ୟ

କୋଟି କୋଟି ପିଲା ତା’ର

ସେ ସତ୍ୟ ଅହିଂସା ବାକ୍ୟେ ରଖି ଆଶା

ଜୀର୍ଣ୍ଣ କଲେ କଳେବର ଲୋ

ପିକ ଦିଅ ବାରତା

ତହିଁ ଥାଇ ସେ ଦ୍ୟନ୍ତୁ ବ୍ୟବସ୍ଥା ଲୋ ।୩।

 

ଆଧ୍ୟାମିକ ଜ୍ଞାନେ ନିତ୍ୟ ସତ୍ୟଧ୍ୟାନେ

ଜଣାନ୍ତୁ ରାମଙ୍କୁ ନିତି

ସତ୍ୟ ଓ ଅହିଂସା ପ୍ରତି ରଖି ଆଶା

ଶାନ୍ତି ପା’ ନ୍ତୁ ପୁତ୍ର ନାତି ଲୋ

ପିକ ଯାଇ ସତ୍ଵର

ଜଣାଇବୁ ବୈକୁଣ୍ଠ ଜୁହାର ଲୋ ।୪।

 

୮୮ - ଶାନ୍ତି ମୂର୍ତ୍ତି ଆମ

ଶାନ୍ତି – ମୂର୍ତ୍ତି ଆମ ଭାରତ ଜନନୀ

ଶାନ୍ତ ସନ୍ତାନ ଆମେ ତାର,

ଜାଣୁନାରେ ଛନ୍ଦ , ଚାହୁଁନାରେ ଦ୍ୱଦ୍ୱ,

ଭଦ୍ରତା ଆମ ବ୍ୟବହାର ।୦।

ସତ୍ୟ- ଅହିଂସାର ବ୍ରତକୁ ଆଚରି

ହେଲେ ହେବୁ ପଛେ ଦାଣ୍ଡର ଭିକାରି,

ଆନରେ ମନରେ କିବା ସମ୍ମାନରେ

ନ ଦେବାଟି ବାଧା କାହାର ।୧।

ଦେଶ- ମାତୃକାର ଆମେରେ ସେବକ

ହୋଇଣ ମାଆର ରଖିବାରେ ଟେକ

ଜନ୍ମଭୂମି ପଦେ ବନ୍ଦିଣ ଆନନ୍ଦେ

ଗାଇବା ଜୟ ଭାରତର ।୨।

ଆମ ସଂଗେ ଯିଏ କରିବଟି ହିଂସା ,

ଛଡ଼ାଇ ଦେବା ତା ସାହସ ଭରସା

ନୋହିଣ ଅଧର୍ଯ୍ୟ ଧରିଣ ଧଇର୍ଯ୍ୟ

କରିବା ପ୍ରତିରୋଧ ତା’ର ।୩।

 

ପ୍ରଣମି ମାଆାର ଆଶୀର୍ବାଦ ନେଇ,

ସବୁକ୍ଷେତ୍ରେ ଆମେ ହେବାରେ ବିଜୟୀ.

ହୋଇବାରେ ଧନ୍ୟ ଚଢ଼ିବାରେ ମନ

ହେବାରେ ଆମେ ଧର୍ମବୀର ।୪।

 

୮୯ - ଶୁଣଗୋ ବଉଳ

 

ଶୁଣ ଗୋବଉଳ , ଏହି ଶୀତ କାଳ ଅଟଇ ବଡ ଦାରୁଣ ଗୋ ..

ବୁଢ଼ା ହଡ଼ା ଗୋରୁ କାନ୍ତ ହୀନା ଯୋରୁ ଦିଏ କଷଣ ଗୋ …

ଆଗୋ ସହୀ ସଂଗାତ … କାଳ ଯମ ସମ ହେଲା ଶୀତ ଗୋ ।୧।

 

କେହୁ ଚମ୍ପା ଗୋରୀ … କାନ୍ତ ଭାବ ସ୍ମରି ମାନସିକ ଶିବ ସେବେ

ଶିବଙ୍କ ଦୟାରୁ ଦୂର ବିଦେଶରୁ ଯେବେ ନିକଟେ ଫେରିବେ ଗୋ…

ଜାଡଭୟ ଭାଙ୍ଗିଯିବ… ଧଡ଼ ପଡ଼ ଗତି ନ ଥରିବ ଗୋ ।୨।

 

ଏ ଋତୁରେ ସହୀ ଶେଯେ ଥିଲେ ଶୋଇ ଘଟେ ଯେତେ ଯେତେ ଢଙ୍ଗ ଗୋ

କହିଅଛି ମୁହିଁ, ଶୁଣ ମନ ଦେଇ ,ଶୁଣି ନ ମଣିବୁ ଖଙ୍ଗ ଗୋ.....

ପ୍ରଥମ ଯେ ପହରେ , ନିଦ୍ରା ଗ୍ରାସେ ଢିଙ୍କି ଅବତାରେ ଗୋ…।୩।

 

ଦ୍ଵିତୀୟ ପ୍ରହରେ , ହେମାଳ ଭୟରେ ହୁଅନ୍ତି ଧନୁ ଆକାର

ତୃତୀୟ ଥରକୁ ସେ ପାଦକରକୁ ଜାକନ୍ତି ଶ୍ଵାନ ପ୍ରକାର ଗୋ

ୟାର ନାମଟି ଗୁଣ …ଅଟେ କୁକୁର ଖନ୍ଦଳୀ ଜାଣ ଗୋ ।୪।

 

ପ୍ରହର ଶେଷରେ, ଥଣ୍ଡା ବତାସରେ ହୁଅନ୍ତି ବୁଣିଆଁ ବଢ଼ୀ ଗୋ

ଗୋଡ଼ମୁଣ୍ଡ ଦୁଇ ଠୁଳ କରି ଦେଇ ହୁଁ ହୁଁ ହୋନ୍ତି ବୁଢ଼ା ବୁଢ଼ୀ ଗୋ

ବଇକୁଣ୍ଠର ଗୀର… ଶୀତ କେବେ ହେବ ଦେଶାନ୍ତର ଗୋ ।୫।

 

୯୦ - ଶ୍ରୀଗୁରୁ ଚରଣେ ବନ୍ଦରେ

 

ଶ୍ରୀ ଗୁରୁ ଚରଣେ ବନ୍ଦରେ ମାନସ

ଶ୍ରୀ ଗୁରୁ ଚରଣେ ବନ୍ଦ

ଯାହା କୃପା ବଳେ ଏ ମର୍ତ୍ତ୍ୟ ମଣ୍ଡଳେ

ଲଭିବୁ ପରମ ପଦରେ …ମାନସ ।୦।

 

ତାଙ୍କ ଦତ୍ତ ବୀଜ ମନ୍ତ୍ରକୁ ହେଜିଣ

ହେଳେ ତେଜି ମାୟା ଦ୍ଵନ୍ଦ୍ଵ

ପ୍ରେମ ରସ ପାନ କରି ହୁଅ ମଗ୍ନ

ସୁଧାରୁ ବଳିଯା ସ୍ୱାଦରେ… ମାନସ ।୧।

 

ଏ ମନବାରଣ ଶାସନ କାରଣେ

ଯା ନାମ ଶିକୁଳି ଛନ୍ଦ

ଛାଡ଼ିଲେ ସେ ଆଶ୍ରା ହେବ କେ ଭରସା

ଆଖି ଥାଇଁ ନୁହଁ ଅନ୍ଧରେ…ମାନସ ।୨।

 

ଅଦିନରେ ବଢ଼ି ଆସିବରେ ମାଡ଼ି

ବେଳ ଥାଉଁ ପକା ବନ୍ଧ

ବହିବଟି ବାଆ ନ ପାଇବୁ ରାହା

ହେଉଥିବୁ କାନ୍ଦ କାନ୍ଦରେ…ମାନସ ।୩।

 

ଗୁରୁ ପାଦଧୂଳି ଶିରେ ହୋଇ ବୋଳି

ନାଚ ହୋଇ ପ୍ରେମାନନ୍ଦ

ସେ ନାମ ସ୍ମରଣ କରି ଯାଉ ପ୍ରାଣ

କହେ ବଇକୁଣ୍ଠ ମନ୍ଦରେ …ମାନସ ।୪।

 

୯୧ - ସଞ୍ଜୁଆ ସମୀର

 

ସଞ୍ଜୁଆ ସମୀର ସାଜି ସଧୀରେ ବହିଲା ଲୋ (ମୋର) ମନଟା ମହକାଇ ଦେଲା

ସୁଲୁସୁଲୁଆ ବାଆ ସଙ୍ଗେ ଶ୍ୟାମ ବଂଶୀ ଶୁଭେ ରଙ୍ଗେ ଆଲୋ ଶୁଭିଲା ରଙ୍ଗେ

ଚଞ୍ଚଳ ଚିତ୍ତଟା ଚେତି ଚମକି ଉଠିଲା ଲୋ,

ମୋର ମନଟା ମହକାଇ ଦେଲା ।୧।

 

ସାରି ସବୁ ପାଇଟି ମୁଁ ସାଜିଲି ବେଣୀ, ସରସେ ଚାହିଁ ବନ୍ଧୁ ସରଣୀ

ଆଲୋ ବନ୍ଧୁ ସରଣୀ

ପୂରୁବର ସ୍କୃତି ମନେ ଭାସେ ବୁଲିଲା –ମୋର ମନଟା ମହକାଇ ଦେଲା ।୨।

 

ସାଥେ ସାଥେ ବରଷିଲା ଝିପି ଝିପି ପାଣି ଘଡ଼ଘଡ଼ି ରଡ଼ି ଘାତେ କଂପେ ଧରଣୀ

ଜାଣି ଜାଣି ନାଗର ନଇଲାଲୋ ନିରାଶାରେ ଆଶା ମଉଳିଲା

ସରମରେ ମରମ ଦହିଲା ଲୋ ମୋର ମନଟା ମହକାଇ ଦେଲା ।୩।

 

ଥୋପି ଥୋପି ଆଖି କୋଣୁ ଖସିଲା ନୀର ଛପି ଆସି ପୋଛିବକି ବଂଧୁଆ ମୋର

ବାଦଲର ଛାଇ ତଳେ ବିଜୁଳି ଆଲୋକ ଖେଳେ

କଳାଜହ୍ନ ଉଙ୍କିମାରି ବାଟ ଦେଖାଇଲା ଗୋ ଭରମରେ ମଥା ବଥାଇଲା

କରମରେ ଏ ଅବସ୍ଥା ଥିଲା ଲୋ (ମୋର) ମନଟା ମହାକାଇ ଦେଲା ।୪।

 

୯୨ - ସକାଳ ସଞ୍ଜରେ

 

ସକାଳ ସଂଜରେ ପ୍ରଭୁ କରୁଛୁ ବନ୍ଦନା

ଶ୍ରୁତି ପାତି ଶୁଣ ମାତ୍ର ଏତିକି ପ୍ରାର୍ଥନା ।୧।

 

ଦୁଃଖ, ସୁଖ, ଭଲ, ମନ୍ଦ ସବୁ ତବ ଦାନ

ଏହା ଭାବି ଅଭିମାନ ନ ଦେବୁ ଏ ମନ ।୨।

 

ତୁମରି ବିଧାନେ ଯାଏ ଦିନ ଆସେ ରାତି

ଚନ୍ଦ୍ର,ସୂର୍ଯ୍ୟ ଚଳୁଛନ୍ତ ମାନି ତୁମ୍ଭ ରୀତି ।୩।

 

ଅଜ୍ଞାନ ମାନବ କିଛି ନ ପାରିଣ ବୁଝି

ମାୟା ମୋହ ଦ୍ଵନ୍ଦ୍ଵେ ନିତି ପ୍ରତି ଥାଏ ମଜ୍ଜି ।୪।

 

ହୀନ ଅପରାଧୀ ଜନେ କ୍ଷମାକର ଏବେ

ଜୀବ ଥିବାଯାଏ କେବେ ନ ଯାଉ ଅଶୁଭେ ।୫।

 

ଅନ୍ତର ମନ୍ଦିରେ ରହି ଆଲୋକ ଦର୍ଶାଅ

ଯେ ଆଲୋକେ ତୁଟିଯିବ ପାପ,ରୋଗ,ଭୟ ।୬।

 

ଏତେମାତ୍ର ଜଣାଇଣ ନମୁଛୁ ପୟରେ

ଦୟାକରି ଦୟାକରି ଶୁଭାଶିଷ ଢାଳିଦିଅ ଶିରେ ।୭।

 

୯୩ - ସତ୍ୟବ୍ରତୀ ନରନାରୀ

 

ସତ୍ୟବ୍ରତୀ ନରନାରୀ ଶୁଣବାଣୀ ମୋହରି ହେ

ଚଳସତ୍ୟ ନିଷ୍ପା ନ୍ୟାୟକୁ ଧରି ହେ

ଏ କଳି କବଳେ ନ ପଡ଼ିଣ ଭୋଳେ

ମାନବ ବରିତ୍ର ନେବାକୁ ହରି ହେ

ଘୋର କଳିକାଳ ବିସ୍ତାରିଛି ଜାଲ

ମାନବ ଚରିତ୍ର ନେବାକୁ ହରି ୦।

 

ମିଥ୍ୟା ପ୍ରବଞ୍ଚନା ବିଷୟ କାମନା

ପ୍ରଚାରି ସତ୍ୟକୁ ଦେବ ସେ ସାରି ହେ ।୧।

 

ନିଶା,ପଶା,ବେଶ୍ୟା କରିଣ ବେଉସା

ଯୁବାଜନ ମନ ମୋହେ ସବୁରି

ସତ୍ୟର ସେବକ ଦେଖି ଅବିବେକ

ଧମକାଏ ଦଣ୍ଡ ଦେବାକୁ ଭାରି ହେ ।୨।

 

ଘରେ ଘରେ କଳି ଅଗ୍ନି ଦେଇ ଜାଳି

ଭାବିଛି କରିବ ମହିମା ଜାରି

ସାଧୁ ସୁଜ୍ଞାନର ନ ହୋଇ ଅଧୀର

ନିଭା ତହିଁସିଞ୍ଚି ଭକତି ବାରି ହେ ।୩।

 

ସତ୍ୟ ଅସ୍ତ୍ର ଧରି ଇଷ୍ଟ ମନ୍ତ୍ର ସ୍ମରି

ଲଢ ତାହା ସହ ପରାଣ ଭରି

କହେ ବଇକୁଣ୍ଠ ନଷ୍ଟ ହେଉ ଶଠ

ଦଣ୍ଡକରେ ସରୁ ଭଣ୍ଡ ଚାତୁରୀ ହେ ।୪।

 

୯୪ - ସଧବା ସତୀକନ୍ୟା

 

ସଧବା ସତୀ କନ୍ୟା କରି କେତେ ବନ୍ଦନା ସରଗ ପୁରେ ଗଲା ଚାଲି

ସେ… ଗୋରୀ… ସିନ୍ଦୂର ଟୀକା ମୁଣ୍ଡେ ମାରି

ସରସ ମତି ତା’ର ସଂସାର ମଣି ଛାର ସବୁ ଭରସା ଦେଲା ସାରି

ସେ …… ଗୋରୀ…. ସବୁ ଭରସା ଦେଲା ସାରି ।୧।

 

ଚହଟ ଚିକ୍କଣ ରୂପଟି ତାହାର ଦିଶେ ସଜ ଫରଫର ଲୋ,ଦିଶେ ସଜ ଫରଫର

ହାତେ ତା ନାଲି ଶଙ୍ଖା ନେତ୍ରେ କଜ୍ଜ୍ଵଳ ରେଖା ଉଠିଲା ହାନ୍ଦୋଳାକୁ ଧରି

ସେ…. ଗୋରୀ.... ଚାଲିଲା ଆଖି ଠାରି ଠାରି ।୨।

 

ମରତ ଯାତନା ନସହି ନବୀନା ଓଳାଇ ଦେଲା ତା ବାଟ ଲୋ, ଓଳାଇ ଦେଲା ତାବାଟ

ଯାଇଁ ଅମର ଦେଶେ ବସି ଟହ ଟହ ହସେ ନ ଚାହେଁ ପଛକୁ ସେ ଫେରି

ଲୋ… ଗୋରୀ... ତା ପାଇଁ ଏ ନରକପୁରୀ ।୩।

 

ଭାବନା ତା ପାଇଁ କରୁତୁ କି ପାଇଁ ତୋ କଥା ନାହିଁ ତା ମନେଲୋ

ତୋ କଥା ନାହିଁ ତାମନେ

ନ ହୋଇବୁ ଭରମ କର ତୋ’ର କରମ ବୃଥାରେ ନ ହୁଅତୁ ଝୁରିଲୋ

ସେ…. ଗୋରୀ…… ମରମେ ନ ହୁଅତୁ ଘାରି ।୪।

 

ତା ମୂରତିକାହିଁ ପାଇବୁତ ନାହିଁ ଆଉ ଏ ଜନ ଜଗତେ ଲୋ ଆଉ ଏ ଜନ ଜଗତେ

ବନ ମାଳତୀ ପରି ଫୁଟି ସେ ଗଲା ଝଡ଼ି

ମନର କଥା ମନେ ମାରି ସେ ଗୋରୀ

ଅକାଳେ ପଡ଼ିଲା ମଉଳି ।୫।

 

୯୫ - ସବୁଆଶା ମନରୁ

 

ସବୁ ଆଶା ମନରୁ ଲିଭାଇ ଦେଇ ମୁହିଁ

କେବଳ ବଞ୍ଚିଅଛି ତୁମରି ପଥ ଚାହିଁ ।୦।

 

ଆଶାର ରଜନୀ କେତେ ବିଫଳେ ପୁହାଇଛି,

ବୃଥାରେ ବୁଲି ମନ ସୁଫଳ ନ ପାଇଛି,

ଆଉ କାଳ କାଳକୁ କରି କଳପଣାକୁ

ସୁନେଲି ରଙ୍ଗେ ଭୁଲି ବୁଲିବି ନାହିଁ ।୧।

 

ଘନେ ବିଜୁଳି ଭଳି କଳପଣା ରାଇଜ

ତା ପଛେ ଧାଇଁବାର ସାର ମାତ୍ର ଦହିଯ

ଧରୁଧରୁ ସେ କ୍ଷେଣେ ଉଭାଇ ଯାଏ କେଣେ

ପଥ କ୍ଲାନ୍ତ ପଥିକେ ଦିଏ ଭୁଲାଇ ।୨।

 

ଏ ଜୀବନରେ ଯାର ତୁମ୍ଭଠାରେ ଭରସା

ସବୁ କଥାରେ ତାର ସଂପୂର୍ଣ୍ଣ ହୁଏ ଆଶା

ସୁଗମ ମାର୍ଗ ଜାଣି ଯେ ହୁଅଇ ଅଗ୍ରଣୀ

ଆଲୋକ ପଥେ ତାକୁ ନେବାକୁ ଅଛ କହି ।୩।

 

୯୬ - ସାଜି ସାମରିକ

 

ସାଜି ସାମରିକ, ଦେଶ ନାଗରିକ ଭାରତ ଯୁବକଗଣ

ଦେଖା ବାହୁବଳ ହଟୁ ଶତ୍ରୁକୁଳ

ନେଇଣ କଳଙ୍କ ଚିହ୍ନରେ-ଭାଇ

ଭେଳା ବୁଡ଼ିବ ବସିଲେ ଚାହିଁ ହେ- ଭାଇ

ପର ପାଶେ ମଥା ଯିବ ନଇଁ ହେ ଭାଇ ।୧।

 

ଫିଙ୍ଗି ଦୁର୍ବଳତା ବିସ୍ତାର କ୍ଷମତା

ଦେଖାଅ ଦକ୍ଷତା ପଣ

ସୀମାନ୍ତରେ ଯାଇ ଛାତିକୁ ପତାଇ

ଠିଆ ହୁଅ ହୋଇ ଟାଣ

ହିମାଳୟ ଆମ ଚିରକାଳ ହେ ଭାଳ ।୨।

 

ଯୋଗୀ ଋଷିଙ୍କର ଯୋଗସ୍ଥଳ

ଜାଣୁଜାଣୁ ଆମେ ଛାଡ଼ି ଦେବାନି ରେ

ଦୁଃସ୍ଥ ହାତେ ସୁସ୍ଥ ଦେଶ

ଯାହା ହେବ ହେଉ

ନ ଛାଡ଼ ଏ ଦାଉ

ପ୍ରାଣ ପଣେ ରଣେ ପଶ

ରେ ବୀର- କଥା କହିବ, ଇତିହାସର-ରେ ବୀର

ଧନ ଜୀବନ ନୁହେଁ ତ ଚିର-ରେ ବୀର

ତାହା ଅରପ ମାତୃ ସେବାର-ରେ ବୀର ।୩।

 

୯୭ - ସୁନ୍ଦର ଶରତକାଳ ପ୍ରବେଶ ହୋଇଲା

ସୁନ୍ଦର ଶରତ କାଳ ପ୍ରବେଶ ହୋଇଲା

ନୂତନ ଶୋଭାକୁ ଧରି ଧରଣୀ ହସିଲା

ଗଙ୍ଗଶିଉଳି ଟଗରେ

କୁମୁଦ କମଳ ପୁଷ୍ପ ଫୁଟିଲେ କାଶାରେ ।୧।

ବିକଶିଲା କାଶତଣ୍ଡି ଧବଳ ରୂପରେ

ସୁଗନ୍ଧ ମାଳତୀ ନିତି ଜନମନ ହରେ

ନଦୀ କୂପ ସରୋବର

ଶରଦ ଶଶୀ ପରଶେ ଦିଶିଲେ ନିର୍ମଳ ।୨।

ବଧୂଲୀ କୁସୁମ ରଙ୍ଗେ ରଙ୍ଗାଇ ଅଧର

ଅପେକ୍ଷା କରିଛି ଅଳି ବନ୍ଧୁକୁ ତାହାର

ଗୁରୁ ଗୁଣୁ ନାଦ କରି

ଆସୁଛିକି ସେ ତା ପ୍ରିୟ ଗୁଣକୁ ସୁମରି ।୩।

ବହଇ ସମୀର ନାନା ପୁଷ୍ପ ବାସ ଘେନି

ନଚାଏ ତରଙ୍ଗେ ନଦୀ ଶସ୍ୟ କ୍ଷେତ୍ରେ ପୁଣି

ନୀଳ ଗଗନେ ନୀରଦ

ଭାସିବୁଲେ ଯେହ୍ନେ ଭାସେ ବୋଇତ ସମୁଦ୍ର ।୪।

 

କୁମାର ଉସବେ କୁମାରୀଏ ପ୍ରମୋଦରେ

ଜହ୍ନିଫୁଲ ତୋଳି ଗୀତ ଗାଇଲେ ସୁସ୍ଵରେ

ଶୁଭ୍ର ଚନ୍ଦ୍ରାଲୋକ ଦେଖି

ସାତ ପାଞ୍ଚ ମିଳି ମନେ ହୁଅନ୍ତି ଯେ ସୁଖୀ ।୫।

 

ଯେସନେ ଏ- କାଳ ଧରା ଦେଶୁ ମଳ ହରେ

ତେହ୍ନେ ଜ୍ଞାନ ବଳେ ହୃଦୁ କଳମଷ ସରେ

ଶୁଦ୍ଧ ପ୍ରେମ ହୁଏ ଜାତ

କହେ ବଇକୁଣ୍ଠ ବିଭୁ ପାଦେ ମଜ୍ଜେ ଚିତ୍ତ।୬।

 

୯୮ - ସୁନ୍ଦର ଆରତି

 

ସୁନ୍ଦର ଆରତି ଶ୍ରୀରାଧା ମୋହନ

କୀର୍ତ୍ତନ କଂସାଳ ତୂରୀ ବାଜେ ଘନ ଘନ।୦।

ଚାରୁ ବକ୍ଷେ ବୈଜୟନ୍ତୀ ଦିଶେକି ଯତନ,

କାରୁକାର୍ଯ୍ୟେ କମନୀୟ କଟିର ବସନ।୧।

 

ଶ୍ରୀ କରେ ମଧୁର ବଂଶୀ ବୋଲେ ରାଧାନାମ

ମୟୂର ଚନ୍ଦ୍ରିକା ଚୂଡ଼ା ମସ୍ତକେ ଧାରଣ।୨।

ଚାରିପାଶେ ଭକ୍ତ ଜନେ କରନ୍ତି ଦର୍ଶନ

କେହୁ ଚାମର ପକାନ୍ତି କେ ସ୍ତବ ପଠନ।୩।

 

ପ୍ରେମରେ ବିଭୋରେ କେବା କରନ୍ତି କ୍ରନ୍ଦନ

କେ ରୂପେ ମନ ନିବେଶି କରୁଛନ୍ତି ଧ୍ୟାନ।୪।

ତ୍ରାହି ତ୍ରାହି ବିଶ୍ଵଗୁରୁ ରଖ ହେ ଶରଣ

ଜୟ ଗାର୍ନ୍ଧବୀ କେ ଜୟ ପ୍ରେମିକା ରତନ।୫।

 

ଜୟ ରାସେଶ୍ଵର ଜୟଶ୍ରୀ ବ୍ରଜ ମଣ୍ଡନ

ଦ୍ଵିଜ ବଇକୁଣ୍ଠ କରେ ଚରଣେ ବନ୍ଦନ।୬।

 

୯୯ - ସେଦିନ କିହେବ ତୋରରେ ମନୁଆ

 

ସେଦିନ କି ହେବ ତୋରରେ ମନୁଆ, ସେଦିନ କି ହବ ତୋର,

ଯେଦିନ ଜୀବନ ପ୍ରଦୀପ ଲିଭିବ ଘୋଟି ଆସିବ ଅନ୍ଧାରରେ..

ମନୁଆ, ସରିବ ସୁଖ ସଂସାର।୦।

 

ବିଜୁଳି ପରାୟ ବିଷୟ ସମୂହ ହୋଇଯିବ ନାରାଖାର,

ବହିବ ବତାସ ଭାଙ୍ଗିନେବ ବାସ,ଯିବୁ କେଉଁ ଦେଶାନ୍ତରେ......

ମନୁଆ, ବେଳହୁଁ ତା ଥୟକର।୧।

 

କଡ଼ କଡ଼ ନାଦେ ଘଡଘଡ଼ି ମାଡ଼ି ପଡ଼ିବ ତୋ ଶିର ପର,

ହୋଇ ଝଡ଼ି ବଢ଼ି, ମାରିବ ଲହଡ଼ି କହକେ ଥିବ ସାଥିରେ ରେ…..

ମନୁଆ, (ତୋ) ଭୟ କରାଇବ ଦୂର।୨।

 

ଭାଇ, ବନ୍ଧୁ, ସୂତେ ଦାସ ଦାସୀ ଯେତେ ସରବେ ହେବେ ଅନ୍ତର,

କେ ହୋଇବ ସାହା ନ ଭାବୁଛୁ ଏହା ପଥେ ହୋଇ ହରବରରେ…..

ମନୁଆ,ବୁଡ଼ିବୁ ମଝି ନଈରେ।୩।

 

କେଉଁ ଜ୍ଞାନ, ଧ୍ୟାନ, କି ମନ୍ତ୍ର ଭଜନ ଭଜିବୁ କେବଣ ଠାର,

ନାଉରି ଟୋକାକୁ ନ ନେଲେ ହାତକୁ କିଏ ସେ କରିବ ପାରରେ….

ମନୁଆ, ତା ସାଥିରେ ପ୍ରୀତି କର।୪।

 

ଧନ ଦରବରେ ବଶ ନୋହିବ ସେ ନ କରିବଟି ଖାତର

ପ୍ରେମ ଭକ୍ତି ଡୋରେ ବାନ୍ଧତୁ ଦୃଢ଼ରେ ଛାଏଁ ହୋଇ ନଉକରରେ….

ମନୁଆ, ବୋହିବ ତୋ ବୋଝ ଭାର।୫।

 

୧୦୦ - ସ୍ନେହ ସମ୍ପାଦିବାଟି କଠିନ

 

ସ୍ନେହ ସମ୍ପାଦିବାଟି କଠିନ, ଧନ, ଘେନ ମୋ ବଚନ

ସେ ସମ୍ପାଦେ ସ୍ନେହ, ଯାହାର ହୃଦୟ

ପାଷାଣହୁଁ ଅଟେ ଟାଣ…. (ଧନ ଘେନ) ।୦।

 

ଏ ମାୟା ସଂସାର ଅତି ହିଁ ଦୁସ୍ତର

ଜଞ୍ଜାଳରେ ଥାଇ ମଗ୍ନ

ପ୍ରିୟତମ ପାଶ ରଖିଣ ମାନସ

ସନ୍ତୋଷ କର ସ୍ମରଣ….. ।୧।

 

ଭଗାରିଙ୍କ ଟାହି ଟାପରାକୁ ତୁହି

ଶୁଣ ନ ପତାଅ କାନ

ମାନ, ଅଭିମାନ, ସର୍ବ ଦେଇମନ

କରି ଭକତି ଅର୍ଜନ…. ।୨।

 

ବାହାର ଯାତନା ବିଷୟ ବାସନା

ଏ ସବୁକୁ ତୁଚ୍ଛ ମଣ

ଇଷ୍ଟ ମନ୍ତ୍ର ମୁଖ୍ୟ ରଖ ମର୍ମେ ଲକ୍ଷ୍ୟ

ସାକ୍ଷୀ ରୂପେ କର କାମ…… ।୩।

 

ନୂତନରୁ ପୁଣ ହେଲେ ପୁରାତନ

ଉଣା ନୁହେଁ ବୁଝା ପ୍ରେମ

ଥିଲେ ଯେତେ ଦୂରେ ମଣି ନିକଟରେ

ନିତି ଲୋଡ଼ ଦରଶନ…. ।୪।

 

ଯେଉଁ ସ୍ନେହ ଭକ୍ତି ଭାବି ବ୍ରଜ ଗୋପୀ

ପାଇତିଲେ କୃଷ୍ଣ ଧନ

ସେହି ଭାବ ସ୍ମରି ବଇ ବ୍ରହ୍ମଚାରୀ

ସତେକି ତେଜିବ ପ୍ରାଣ…. ।୫।

 

୧୦୧ - ହେ ବିଶ୍ଵମୋହନ

 

ହେ ବିଶ୍ଵ ମୋହନ ବିଶ୍ଵ ପ୍ରତି ରନ୍ଦ୍ରେ ରହିଅଛ ପରା ପୂରି,

ତେବେ କିଆଁ ନରେ କରମ କ୍ଷେତ୍ରରେ ହୋନ୍ତି ଭେଦେ ଧରାଧରି ।୧।

କେଉଁ କଥା ପାଇଁ ମନ୍ଦିର ମଧ୍ୟକୁ ନ ଯିବେ ଅଚ୍ଛବ ଜନ

ଘୃଣା ଭରେ କିଁପା ଦେଉଳ ଦରଜା କିଳନ୍ତି ସେବକ ଗଣ ।୨।

 

ପତିତମାନଙ୍କ ଉଦ୍ଧାର କାରଣେ ତୁମ୍ଭେ ମର୍ତ୍ତ୍ୟେ ଅବତ୍ତୀର୍ଣ୍ଣ,

କେତେ କାଳ ଆଉ ପଡ଼ି ରହିଥିବେ ସହି କେତେ ହୀନିମାନ ।୩।

 

ସବୁରି ହୃଦରେ ବସିଅଛି ନାଥ ସୁବୁଦ୍ଧି ବତାଇ ଦିଅ,

ହୋନ୍ତୁ ଶୁଭକର୍ମୀ ନ ମରନ୍ତୁ ଭ୍ରମି ତୁଟାନ୍ତୁ ଭେଦତା ମୋହ ।୪।

ପରସ୍ପର ମଧ୍ୟେ ପ୍ରଦର୍ଶାଇ ସ୍ନେହ ଚଳାନ୍ତୁ ଶାସନ ନୀତି

ନୋହି ପରାଧୀନ ହୁଅନ୍ତୁ ସ୍ଵାଧୀନ ଘୁଞ୍ଚୁଏ ଇର୍ଷା ଅରାତି ।୫।